ଝାରସୁଗୁଡା ୭/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଲସଦା ଛକ ନିକଟ ୪୯ ନଂ ଜାତୀୟ ରାଜପଥରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ର ପଛକୁ ଧକ୍କା ମାରିଥିଲା । ଫଳରେ ଧକ୍କା ମାରି ଥିବା ଟ୍ରକର ସମ୍ମୁଖ ଭାଗ ଚୁରମାର ଯାଇଥିଲା ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।
ସୂଚନା ମତେ ଝାରସୁଗୁଡା ପଟୁ ଛତିଶଗଡ଼ ରାୟଗଡ଼ ଅଭିମୁଖେ ଯାଉଥିବା ସିଜି-୧୨-ଏୟୁ-୯୧୧୨ ନଂ ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକ ତା ଆଗେ ଆଗେ ଯାଉଥିବା ଅନ୍ୟ ଏକ ଟ୍ରକର ପଛକୁ ଧକ୍କା ମାରିଥିଲା । ଯାହା ଫଳରେ ଉକ୍ତ ଟ୍ରକ ର ଆଗପଟ କାଚ ଭାଙ୍ଗି ଯିବା ସହ ସମ୍ମୁଖ ଭାଗ ମଧ୍ୟ ଚୁରମାର ହୋଇ ଯାଇଥିଲା । କିନ୍ତୁ ଦୁର୍ଘଟଣ ଗ୍ରସ୍ତ ଟ୍ରକ କୁ ସେ ସ୍ଥାନରୁ ହଟାଇବା ପରେ ମଧ୍ୟ ରାଜରାସ୍ତା ଉପରେ ବିଛେଇ ହୋଇ ପଡିଥିବା ଭଙ୍ଗା କାଚ ଟୁକୁଡ଼ା କୁ ସଫା କରାଯାଇ ନାହିଁ । ଯାହା ଦ୍ୱାରା ରାଜ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । କିନ୍ତୁ ବହୁତ ପରିତାପର ବିଷୟ ଯେ ଏନଏଚଏଆଇ ବିଭାଗ ସବୁ ଜାଣିଶୁଣି କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।