ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟ କିସ୍ତି ମହିଳାଙ୍କ ଖାତାକୁ ଆସିଛି । ଆଜି ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ବାବଦକୁ ୫ ହଜାର ଲେଖାଏଁ ଟଙ୍କା ମହିଳାଙ୍କ ଖାତାକୁ ମେସେଜ ଆସିଥିବା ଜଣାପଡିଛି । ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଛି । ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସି ଥିବାରୁ ହିତାଧିକାରୀଙ୍କ ଘରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ଅକ୍ଟୋବର ୯ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି ।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ । ଏହିପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।