ଦୁର୍ଗା ପୂଜା ମଣ୍ଡପରେ ଫୁଟିଲା ଗୁଳି, ୪ ଗୁରୁତର


ବିହାର: ସାରା ଦେଶରେ ଏବେ ପାର୍ବଣର ମାହୋଲ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ କରି ଶ୍ରଦ୍ଧାଳୁ ଆଶୀର୍ବାଦ ନେଉଛନ୍ତି । ଏହାରି ଭିତରରେ ବିହାରରେ ଏକ ପୂଜା ମଣ୍ଡପରେ ହୋଇଛି ଫୟାରିଂ । ଫଳରେ ୪ ଜଣ ଆହତ ହୋଇଛନ୍ତି । ବାଇକରେ ଆସି ଦୁର୍ବୃତ୍ତମାନେ ଆଖି ବୁଜା ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ।
ଆଜି ସକାଳୁ ବିହାର ନଓ୍ୱାଡା ପୋଲିସ ଷ୍ଟେସନ ଅଞ୍ଚଳର ମୌଲବାଦରେ ଥିବା ପୂଜା ମଣ୍ଡପରେ ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତମାନେ ବାଇକ୍ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ପୂଜା କମିଟିର ଜଣେ ସଦସ୍ୟଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆରା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି । ଗୁଳିମାଡ଼ରେ ଆହତ ଥିବା ବ୍ୟକ୍ତିଙ୍କ କହିବା ମୁତାବକ, ରବିବାର ସାକଳୁ ପୂଜା ମଣ୍ଡପରେ ସେ ଚୌକି ପକାଇ ବସିଥିଲେ । ଏତିକି ବେଳେ ଦୁଇଟି ବାଇକ୍ରେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ହତିଆର ଧରି ଆସି ଗୁଳିମାଡ଼ କରିବା ଆରମ୍ଭ କରିଥିଲେ ।
ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି । ଆଖପାଖରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ ଚାଲିଛି ।