ଖରାପ ଭାଷା ପ୍ରୟୋଗ କରି ୟୁ-ଟ୍ୟୁବର ଶଙ୍କର ଗିରଫ


ଭୁବନେଶ୍ବର: ୟୁ-ଟ୍ୟୁବରେ ମହିଳା ଓ ଯୁବତୀଙ୍କ ପ୍ରତି ଆଶଳୀନ ଭାଷା ବ୍ୟବହାର କରୁଥିବା ୟୁ-ଟ୍ୟୁବର ଶଙ୍କର ଓମ୍‌ ସରଣ ଓରଫ ଉମାଶଙ୍କର ପାଣିଗ୍ରାହୀ ଗିରଫ । ଭୁବନେଶ୍ୱର ସାଇବର ଥାନା ପୋଲିସ ତାଙ୍କୁ ବାଲେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସୂଚନା ଦେଇଛନ୍ତି ଏସିପି ଅଞ୍ଜନା ଟୁଡୁ । ସେପଟେ ଗିରଫ ପରେ ସ୍ୱର ବଦଳାଇଛନ୍ତି ଶଙ୍କର । ଆଉ ଆଗକୁ ସେମିତି କିଛି କହିବି ନାହିଁ ବୋଲି ସେ କହିଛନ୍ତି ।
ଶଙ୍କର ଓମ୍‌ ନିଜ YouTube ଚ୍ୟାନେଲରେ ବିଭିନ୍ନ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ କଟୁ ଶବ୍ଦ ବ୍ୟବହାର କରୁଥିଲେ । ଜଣେ ମହିଳା ଗତ ୧୨ ତାରିଖରେ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭଯୋଗ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶଙ୍କର ଓମଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଛି । ତାଙ୍କ ନାଁରେ ସିମୁଳିଆ ଓ ମହିଳା ଥାନାରେ ମାମଲା ଥିବା ଏସିପି ଅଞ୍ଜନା ଟୁଡୁ କହିଛନ୍ତି ।
ପୀଡିତା କହିଛନ୍ତି, ଶଙ୍କର ପୋଲିସ୍‌ ଓ ମିଡ଼ିଆକୁ ବେଶ୍ୟା ସହିତ ତୁଳନା କରିଥିଲେ । ଏହାର ପ୍ରତିବାଦ କରିବାରୁ ୧୨ ବର୍ଷ ତଳର ମୋର ଏକ ଭିଡ଼ିଓକୁ ବ୍ୟବହାର କରି ଖରାପ ଶବ୍ଦ କହିଥିଲେ ।
ସେପଟେ ଅଭିଯୁକ୍ତ କହିଛନ୍ତି, ମହିଳାଙ୍କୁ ଅସମ୍ମାନ ନୁହେଁ, ଯେତେବେଳେ ସ୍ୱାଭିମାନ ଉପରକୁ ପ୍ରଶ୍ନ ଆସେ, ସେତେବେଳେ କ୍ରୋଧ ସମ୍ଭାଳି ପାରି ନଥିଲି । ତେଣୁ ଓଟିଭିର ଗୋଟିଏ ପୁରୁଣା ନ୍ୟୁଜ୍‌ ‘ମାଛ ମାର୍କେଟରୁ ମାଛ ଚୋରି‘କୁ ନେଇ ନ୍ୟୁଜ୍‌ କରିଥିଲି । ଯେଉଁଥି ପାଇଁ ତାଙ୍କୁ (ମହିଳା) ବହୁ ବାଧିଥିଲା । ତାଙ୍କର ସମ୍ମାନ ହାନୀ ହୋଇଥିବାରୁ ମୁଁ ଦୁଃଖିତ । ସିଏ ମୋର ବଡ଼ ଭଉଣୀ ଭଳିଆ । ଏଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଆଗକୁ ଏମିତି ହେବ ନାହିଁ ।