ବାଙ୍କୀ: ବିବାହ ପାଇଁ କୋର୍ଟରେ ଚାଲିଥିଲା କାଗଜପତ୍ର କାମ । ପାଖରେ ବନ୍ଧୁବାନ୍ଧବଙ୍କ ମଧ୍ୟ ଉପସ୍ଥିତି ଥିଲେ । ଏହି ସମୟରେ କୋର୍ଟରେ ପହଞ୍ଚି ଯାଇଥିଲେ ପ୍ରଥମ ସ୍ତ୍ରୀ । ଆଉ କହିଲେ, ଇଏ ମୋ ସ୍ୱାମୀ, ମୁଁ ତାଙ୍କ ସ୍ତ୍ରୀ । ଏପରି କହି ଘୋଷାଡ଼ି ଘୋଷାଡ଼ି ସ୍ୱାମୀକୁ ଥାନାକୁ ନେଇଗଲେ ପ୍ରଥମ ସ୍ତ୍ରୀ । କଟକ ଜିଲ୍ଲା ବାଙ୍କୀ କୋର୍ଟ ଆଗରେ ଦମ୍ପତିଙ୍କର ଏପରି ହାଇଡ୍ରାମା ଦେଖିବାକୁ ମିଳିଛି ।
ବାଙ୍କୀ ଥାନା ଅଞ୍ଚଳର ମହିଳା ଜଣଙ୍କ ଦୁଇ ବର୍ଷ ତଳେ କିଆପଲ୍ଲା ଗାଁର ସନ୍ତୋଷ ରାଉତଙ୍କୁ ବିବାହ କରିଥିଲେ । ବିବାହ ପରେ କିଛି ଦିନ ଉଭୟ ଖୁସିରେ ଦିନ କାଟିଥିଲେ । ତା’ପରେ ବିଭିନ୍ନ କାରଣରୁ ସନ୍ତୋଷ ତାଙ୍କର ପ୍ରଥମ ସ୍ତ୍ରୀକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏନେଇ ୬ ମାସ ତଳେ ସନ୍ତୋଷଙ୍କ ପ୍ରଥମ ପତ୍ନୀ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସେ ନିଜ ବାପ ଘରେ ରହୁଥିଲେ । ଏହାରି ଭିତରେ ସନ୍ତୋଷ ଆଜି ଆଉ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ବାଙ୍କୀ କୋର୍ଟକୁ ଆସିଥିଲେ ।
କୌଣସି ସୂତ୍ରରୁ ପ୍ରଥମ ସ୍ତ୍ରୀ ଏନେଇ ଖବର ପାଇ ସେଠାରେ ପହଞ୍ଚି ଯାଇଥିଲେ । ତାଙ୍କୁ ଦେଖି ଯୁବତୀ ଜଣଙ୍କ ସେଠାରୁ ଖସି ପଳାଯାଇ ଯାଇଥିଲା ବେଳେ ସନ୍ତୋଷ ଓ ପ୍ରଥମ ସ୍ତ୍ରୀଙ୍କ ମଧ୍ୟରେ ରାସ୍ତା ଉପରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସନ୍ତୋଷଙ୍କୁ ଘୋଷାଡି ଘୋଷାଡ଼ି ଥାନାକୁ ନେଇଯାଇଥିଲେ ମହିଳା ଜଣକ । ପୋଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଘଟଣାକୁ ନେଇ ପୋଲିସ କିମ୍ବା ମହିଳାଙ୍କ ସ୍ୱାମୀ ସନ୍ତୋଷଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ସନ୍ତୋଷ ଏକ କମ୍ପାନୀରେ କାମ କରୁଥିବା ଜଣାଯାଇଛି ।
ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି, ମୋତେ ଘରେ ବାଡ଼ିଆପିଟା କରନ୍ତି, ଖାଇବାକୁ ଦିଅନ୍ତି ନାହିଁ । ମୋତେ ବହୁତ ହଇରାଣ କରନ୍ତି । ମୁଁ ଏଥିପାଇଁ ମୋ ବାପଘରେ ରହୁଥିଲି ।