ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତସାପ ଖଣ୍ଡିଏନ ପୀଠରେ ନବରାତ୍ର ଓ ରାବଣ ଦହନ ସମ୍ପନ୍ନ


ଝାରସୁଗୁଡା ୧୫/୧୦ (ଓଡ଼ିଶା ନ୍ୟୁଜ) ଓଡ଼ିଶାର ଝାରସୁଗୁଡା ଓ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ମଧ୍ୟ ସ୍ଥଳରେ ଅବସ୍ଥିତ ମା ସାପ ଖଣ୍ଡିଏନ ଙ୍କ ଶକ୍ତିପୀଠରେ ନବରାତ୍ର ପୂଜା ଓ ରାବଣ ଦହନ ମହୋତ୍ସବ ବହୁ ଆଡମ୍ବର ସହକାରେ ସମ୍ପନ୍ନ ହୋଇ ଯାଇଛି ।
ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ଗୁରୁବାର ଦିନ ସଂପ୍ରଦା ମଣ୍ଡଳୀ ସହ ଏକ ଶୋଭାଯାତ୍ରାରେ ବାହାରି କନକତୋରା ଲୁହାବଗା ଗାଁ ରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରା ଯାଇଥିଲା । ଏହା ପରେ ପ୍ରତ୍ୟେକ ଦିନ ପୂଜକଙ୍କ ଦ୍ୱାରା ଚଣ୍ଡୀପାଠ,ହୋମଯଜ୍ଞ,ସନ୍ଧିପୂଜା ଆଦି ପୂଜାକାର୍ଯ୍ୟ ଆରମ୍ଭ ହୋଇ ବିଜୟା ଦଶମୀ ଦିନ ପୂର୍ଣ୍ଣାହୁତି ସହ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା ଏବଂ ସନ୍ଧ୍ୟାରେ ରାବଣ ଦହନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ପୂଜା ଉତ୍ସବରେ ଅରୁଣ ଗୁପ୍ତା ଓ ପତ୍ନୀ ସ୍ନେହଲତା ଗୁପ୍ତା ମୁଖ୍ୟ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଆଲୋକ ଖମାରୀ ଓ ପତ୍ନୀ ପିଙ୍କି ଖମାରୀ,ସୁଦର୍ଶନ ପଧାନ ଓ ପତ୍ନୀ ବେବି ପଧାନ ଏବଂ ଚନ୍ଦ୍ରାଜିତ ଖମାରୀ ଓ ପତ୍ନୀ କୁମୋଦିନି ଖମାରୀ ପାର୍ଶ୍ଵ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସହଯୋଗ କରିଥିବା ବେଳେ ପଣ୍ଡିତ ପ୍ରକାଶ ନାରାୟଣ ମିଶ୍ର ଓ ପଣ୍ଡିତ ସୁରେନ୍ଦ୍ର ଦାସ ପୂଜାର୍ଚ୍ଚନା ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ବିଧାୟକ ତଥା ବିତ୍ତ ବାଣିଜ୍ୟିକ କର ଆବାସ ଏବଂ ପର୍ଯ୍ୟାବରଣ ଯୋଜନା,ଆର୍ଥିକ ସାଂକ୍ଷିକ ବିଭାଗ ମନ୍ତ୍ରୀ ଓ.ପି.ଚୌଧୁରୀ ମା ଙ୍କ ପୀଠ କୁ ଆସି ପୂଜାର୍ଚ୍ଚନା କରିଥିଲେ । ଉକ୍ତ ପୂଜାକାର୍ଯ୍ୟରେ ଝାରସୁଗୁଡା ଜିଲ୍ଲା ର ବାଦୀମାଲ, କନକତୋରା,ପିଥିଣ୍ଡା ଏବଂ ଛତିଶଗଡ଼ ରାୟଗଡ଼ ଜିଲ୍ଲା ର ଶଙ୍କରବଗା, ବେଲେରିଆ, ବନୋରା, ମହାପାଲି, ଲୋଇଙ୍ଗ,
ବିସନାଥପାଲି, ଏକତାଳ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରା ଯାଇଥିଲା । ବନଦେବୀ ମା ସାପ ଖଣ୍ଡିଏନ ଙ୍କ ଶାରଦୀୟ ପାର୍ବଣ ପୂଜା ଉତ୍ସବକୁ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ରହିଥିବା ସମସ୍ତ ଗ୍ରାମବାସୀ ମିଳିତ ଭାବେ ଦୀର୍ଘ ବର୍ଷ ଧରି ପାଳନ କରି ଆସୁଛନ୍ତି । ମନ୍ଦିର ପରିଚାଳନା କମିଟିର ସଭାପତି ସାମିଲ ଭୁଏ, ଉପ ସଭାପତି ଶ୍ୟାମଲାଲ ସାହୁ, ସମ୍ପାଦକ ପ୍ରସନ୍ନ ଖମାରୀ,ସହ ସମ୍ପାଦକ ସନ୍ତୋଷ ପଧାନଙ୍କ ସମେତ ଉଭୟ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।