ଝାରସୁଗୁଡା ୧୬/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ରେ ରହୁଥିବା ହରିଶଙ୍କର ରାୟଙ୍କ ପୁଅ ଗୁଟପୁଟ ରାୟ (୨୨) ନିଖୋଜ ଘଟଣା ନୁଆଁମୋଡ ନେଇଛି l ଗତ ଶନିବାର ସନ୍ଧ୍ୟାରୁ ଗୁଟପୁଟ ନିଖୋଜ ହୋଇଥିବା ବେଳେ ପୁଲିସ ଆଜି ରେଙ୍ଗାଲି ଥାନା ଅନ୍ତର୍ଗତ ଭିକମପାଲି ନିକଟସ୍ଥ ବଡକେଲୋ ବ୍ରିଜ ହୀରାକୁଦ ଜଳ ଭଣ୍ଡାରରେ ସର୍ଚ୍ଚ ଅପରେସନ ଜାରି ରଖିଛି l ହୀରକୁଦ ଜଳଭଣ୍ଡାର ପାଣିରେ ଏକ କମ୍ବଳରେ କିଛି ଘୋଡା ଯାଇଛି ଏବଂ ଏଥିରୁ ଦୁର୍ଗନ୍ଧ ଆସୁଥିବା ଖବର ମିଳିବା ପରେ ବ୍ରଜରାଜନଗର ପୋଲିସ ଲଖନପୁର ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ସହାୟତା ରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ସନ୍ଧ୍ୟା ହେବାରୁ ସର୍ଚ୍ଚ ଅପରେସନକୁ ପୁଲିସ ସ୍ଥଗିତ ରଖିଛି l ତେବେ ଘୋଡା ଯାଇଥିବା କମ୍ବଳ ଭିତରେ କଣ ରହିଛି ପୁଲିସ ତାହା ସ୍ପଷ୍ଟ କରିନାହିଁ l ଅନ୍ୟପଟେ ଆସନ୍ତାକାଲି ସକାଳେ ସର୍ଚ୍ଚ ଅପରେସନ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ ସୂଚନା ଦେଇଛନ୍ତି ।
ସୁଚନା ଥାଉକି ଗତ ଶନିବାର ସନ୍ଧ୍ୟାରେ ଗୁଟପୁଟ ତାଙ୍କ ସାଙ୍ଗ ମାନଙ୍କ ସହିତ ବଜାରକୁ ଯାଇ ଆଉ ଘରକୁ ଫେରି ନଥିଲେ l ଗୁଟପୁଟ ଘରକୁ ନ ଫେରିବାରୁ ତାଙ୍କ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା l ସାଙ୍ଗ ମାନଙ୍କୁ ପଚାରିବାରୁ ଗୁଟପୁଟ ଘରକୁ ଯାଉଛି ବୋଲି କହି ଆମ ପାଖରୁ ପଳେଇ ଆସିଥିଲା ବୋଲି ସେମାନେ କହିଥିଲେ l ପୁଅର କୌଣସି ସନ୍ଧାନ ନ ମିଳିବାରୁ ବାପା ହରିଶଙ୍କର ଗତ ମଙ୍ଗଳବାର ଓରିଏଣ୍ଟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଏହାକୁ ଭିତ୍ତିକରି ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧିକାରୀ ରୋଜାଲିନ ପଟେଲ ଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଲକ୍ଷ୍ମୀପ୍ରିୟା ମଲ୍ଲିକ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ l ପ୍ରାଥମିକ ତଦନ୍ତରେ ତାଙ୍କ ସାଙ୍ଗରେ ଥିବା ସାଙ୍ଗମାନଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା l ହେଲେ ଆଜି ଓରିଏଣ୍ଟ ଅଂଚଳରୁ ପ୍ରାୟ ୭୦ କିଲୋମିଟର ଦୁରରେ ଥିବା ହୀରାକୁଦ ଜଳଭଣ୍ଡାର ଭିତରେ କେଉଁ ଆଧାରରେ ସର୍ଚ୍ଚ ଅପରେସନ କରା ଯାଉଛି ସେ ସମ୍ପର୍କରେ ପୋଲିସ ସ୍ୱଷ୍ଟ କରିନାହିଁ l ଉକ୍ତ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ଯୋଗୁଁ ସମ୍ପୂର୍ଣ୍ଣ ତଥ୍ୟ ପରେ ପ୍ରଦାନ କରାଯିବ ବୋଲି ଓରିଏଣ୍ଟ ପୁଲିସ ପକ୍ଷରୁ କୁହାଯାଇଛି l