ଜମି ବିବାଦରେ ଫସିଛନ୍ତି ମାଆ ଦୁର୍ଗା: ୧୪୪ ଧାରା ଲାଗିଥିବାରୁ ହୋଇପାରୁନି ବିସର୍ଜନ


ଯାଜପୁର: ସରିଛି ମାଆ ଜଗତଜନନୀ ଦେବୀ ଦୁର୍ଗାଙ୍କ ପୂଜା । ଧରାପୃଷ୍ଠରୁ ମେଲାଣି ନେଇସାରିଛନ୍ତି ମାଆ । ସବୁ ସ୍ଥାନରେ ମାଆଙ୍କ ବିସର୍ଜନ ମଧ୍ୟ ସରିଛି । ହେଲେ ଯାଜପୁର ଜିଲ୍ଲା ରାମ୍ବାଗ ଗାଁରେ ଜମି ବିବାଦରେ ଫସିଛନ୍ତି ମାଆ ଦୁର୍ଗା । ୧୪୪ ଧାରା ଲାଗିଥିବାରୁ ୪ ଦିନ ପରେ ବି ହୋଇ ପାରୁନି ବିସର୍ଜନ କି ପାଣିକୁ ଯାଇ ପାରୁ ନାହାନ୍ତି ମାଆ । ମଣ୍ଡପରେ ବସି ରହିଛନ୍ତି ଦେବୀ ଦୁର୍ଗା ।

ମଣ୍ଡପ ଓ ଏହାର ପାଖ ଜାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କ ମଧ୍ୟରେ ଏ ବିବାଦୀୟ ପରିସ୍ଥିତି ଉପୁଜିଛି । ଜମିକୁ ନେଇ ୧୪୪ ଧାରା ଜାରି ହୋଇଛି । ଏହାବାଦ ମାଆଙ୍କ ମଣ୍ଡପ ସମ୍ମୁଖରେ ଜମି ମାଲିକଙ୍କ ବାଲି ପଡି ଥିବାରୁ ଦେବୀ ବାହାରି ପାରୁ ନଥିବା ପୂଜା କମିଟି ଅଭିଯୋଗ କରିଛି ।

ମନ୍ଦିର କମିଟି ସଦସ୍ୟ ଅମର ସାହାଣୀ କହିଛନ୍ତି, ସମସ୍ତ ପ୍ରକାର ଅନୁମତି ଆଣି ଆମେ ପୂଜାର୍ଚ୍ଚନା କରିଛୁ । ମାତ୍ର ଠାକୁରଙ୍କୁ ବିସର୍ଜନ କରାଯାଇ ସାରିଥିଲେ ବି ପାଣିକୁ ଯାଇ ପାରୁ ନାହାନ୍ତି । ସାମନା ଗେଟ୍‌ ପାଖରେ ବାଲି ଗଦା ହୋଇଥିବାରୁ ଗେଟ୍‌ ଖୋଲି ହେଉନି । ଦେବୀ ବାହାରି ପାଣିକୁ ଯାଇ ପାରୁ ନାହାନ୍ତି । ଉଭୟ ପକ୍ଷ ମଧ୍ୟରେ ବିବାଦ ହେବାରୁ ୧୪୪ ଧାରା ଲାଗୁ ହୋଇଛି । ଦୁର୍ଗା ଘର ରେଜିଷ୍ଟ୍ରି ଜାଗାରେ ହୋଇଛି । ସାମନା ଜମିକୁ ନେଇ ବିବାଦ ଆରମ୍ଭ ହୋଇଛି । କଥା କୋର୍ଟ ପର୍ଯ୍ୟନ୍ତ ଯାଇଛି । ବିବାଦ ସମାଧାନ ହୋଇ ନ ଥିଲେ ବି ବିସର୍ଜନ ନିମନ୍ତେ ଆମେ ପ୍ରଶାସନକୁ ଅନୁରୋଧ କରୁଛୁ ।

ସେପଟେ ଜମି ମାଲିକ ନାରାୟଣ ରାଉତ କହିଛନ୍ତି, ପୂଜା ପୂର୍ବରୁ ମୁଁ ବାଲି ପକାଇ, ଘର କାମ କରୁଥିଲି । ମୋ’ ତରଫରୁ କୌଣସି ମାମଲା ହୋଇନି । କମିଟି ତରଫରୁ ମୋ ନାଁରେ ମାମଲା ହୋଇଛି । ୧୬୩ ଦଫା ସମେତ ବିଭିନ୍ନ ଦଫା ଲାଗିଥିବାରୁ କୋର୍ଟ ନିୟମ ଅନୁଯାୟୀ ମୁଁ ସେଠାକୁ ଯାଇପାରୁନି । ମୋ’ ଘର କାମ ବନ୍ଦ ରହିଥିବା ବେଳେ ବାଲି ସେଠାରେ ପଡ଼ି ରହିଛି । ମୁଁ ଏହାକୁ ବିରୋଧ କରୁନି କିନ୍ତୁ ବାଲି ଉଠାଇ ପାରୁନି । ମାମଲା କୋର୍ଟରେ ଅଛି । କୋର୍ଟ ରାୟ ଆସିବା ପରେ ଯାହା ପଦକ୍ଷେପ ନିଆଯିବ । ଠାକୁରଙ୍କୁ ପାଣିରେ ପକାଇବା କାମ ସେମାନଙ୍କର । ଏଥିରେ ମୋର କୌଣସି ଆପତ୍ତି ଅଭିଯୋଗ ନାହିଁ ।

ସେପଟେ ଦେବୀଙ୍କ ବିସର୍ଜନ ଲାଗି ପ୍ରଶାସନ ହସ୍ତକ୍ଷେପ କରିବାକୁ ଉଭୟ ପକ୍ଷ ଦାବି କରିଛନ୍ତି । ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲୋଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି ।