‘ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଲାଗୁ ହେବ ଆୟୁଷ୍ମାନ ଯୋଜନା’


ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।’ ଏହାଦ୍ୱାରା ରାଜ୍ୟବାସୀଙ୍କୁ ସାମାଜିକ ନିରାପତ୍ତା ମିଳି ପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ମନ୍ତ୍ରୀ କହିଛନ୍ତି, ମୋହନ ମାଝୀଙ୍କ ନେତୃତ୍ୱାଧୀନ ନୂଆ ସରକାର ମଧ୍ୟ ଆମ ରାଜ୍ୟରେ ଏହି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିସାରିଛନ୍ତି । ଆମ ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଆକଳନ ଅନୁସାରେ ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସାମାଜିକ ନିରାପତ୍ତା ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । ଆମ ରାଜ୍ୟର ୭୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ ଏହି କାର୍ଡରେ ସ୍ଵାସ୍ଥ୍ୟ ବୀମାର ସୁବିଧା ପାଇବେ ବୋଲି କହିଛନ୍ତି ମନ୍ତ୍ରୀ ।

ଏଥିସହ ସେ କହିଛନ୍ତି, ଏବେ ରାସନ୍ କାର୍ଡ e-KYC ଚାଲିଛି । ଏହା ସରିବା ପରେ ରାଜ୍ୟର କେତେ ସଂଖ୍ୟକ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏହି ସ୍ଵାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ ତାହା ସ୍ପଷ୍ଟ ହେବ । ପୂର୍ବର BSKY ଯୋଜନାରେ ମାତ୍ର ୯୫୭ଟି ହସ୍ପିଟାଲରେ ରାଜ୍ୟର ଲୋକଙ୍କୁ ସ୍ଵାସ୍ଥ୍ୟ ବୀମାର ସୁବିଧା ମିଳୁଥିବା ବେଳେ ଏଣିକି ଦେଶସାରା ୨୭ ହଜାରରୁ ଅଧିକ ଅନୁବନ୍ଧିତ ହସ୍ପିଟାଲରେ ଓଡ଼ିଶାର ଲୋକେ ସ୍ଵାସ୍ଥ୍ୟ ସେବା ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ ।