ପଞ୍ଜିକା ଦେଇଥିଲା ବାତ୍ୟାର ସଙ୍କେତ, ସତ ହେଉଛି ଗଣନା


ଭୁବନେଶ୍ବର: ଚଳିତବର୍ଷ ଅକ୍ଟୋବରରେ ଓଡ଼ିଶା ଉପକୂଳରେ ମାଡ଼ ହେବ ଏକ ବାତ୍ୟା । ଏହା ବହୁ ଆଗରୁ ଲିପିବଧ ହୋଇ ରହିଛି । ଆଉ ଏହା ଖଡ଼ିରତ୍ନ ପଞ୍ଜିକାରେ ଆଗରୁ ଗଣନା କରାଯାଇଥିଲା । ଯାହା ସତ ହେବାକୁ ଯାଉଛି । କାରଣ ଚଳିତମାସ ୨୪ ରାତି ଓ ୨୫ ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ବାତ୍ୟା ‘ଦାନା’ ମାଡ଼ ହେବାକୁ ଯାଉଛି । ବାତ୍ୟା କେଉଁ ତାରିଖରେ ହେବ ଓ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା । ଅସଲି ଖଡ଼ିରତ୍ନ ପଞ୍ଜିକାର ୧୯୬ ପୃଷ୍ଠାରେ ଏହା ଉଲ୍ଲେଖ ରହିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ଅସଲି ଖଡ଼ିରତ୍ନ ପଞ୍ଜିକାରେ ପାଣିପାଗ ସଂପର୍କରେ ଗଣନା କରାଯାଇଥିଲା ଯେ, ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର ଓ ନିଆଳି ଆଦି ଅଞ୍ଚଳରେ ସାମୁଦ୍ରିକ ଝଡ଼, ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅକ୍ଟୋବର ୧୭ରୁ ୨୩ ମଧ୍ୟରେ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବା ନେଇ ପଞ୍ଜିକାରେ ଗଣନା କରାଯାଇଥିଲା । ବାତ୍ୟା ସଂପର୍କିତ ତଥ୍ୟକୁ ନେଇ ପଞ୍ଜିକାର ଉଲ୍ଲେଖ ଥିବା ୧୯୬ ପୃଷ୍ଠା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହାପରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ପରେ ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି ।