ଆସୁଛି ବାତ୍ୟା ‘ଦାନା’: କେଉଁ ଦିନ, କେଉଁ ଅଞ୍ଚଳରେ ହେବ କେତେ ପବନ ?


ଭୁବନେଶ୍ବର: ଅବପାତରେ ପରିଣତ ହୋଇ ସାରିଛି ଲଘୁଚାପ । ଆସନ୍ତାକାଲି ନେବା ବାତ୍ୟାର ରୂପ । ଆଉ ଯାହାର ନାଁ ହେଲା ‘ଦାନା’ । ଦାନା ବାତ୍ୟାର ରୂପ ନେବା ପରେ ଭଗୀର ସମୁଦ୍ରରେ ଆରମ୍ଭ କରିବ ଦାନା ଗୋଟାଇବା । ଆଉ ବିକଟାଳ ରୂପ ଧରି ଓଡ଼ିଶା ଉପକୂଳକୁ ମାଡ଼ି ଆସିବା ସହ ସବୁକିଛି କରିଦେବ ଛାରଖାର । ଭୀଷଣ ବାତ୍ୟାରେ ପରିଣତ ହୋଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ ପବନ ହେବ ।  ଲ୍ୟାଣ୍ଡଫଲ କରିବା ସମୟରେ ପବନ ବେଗର ଘଣ୍ଟା ପ୍ରତି ୧୦୦ ରୁ ୧୧୦ କି.ମି ରହିବ । ଏଥିସହ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ଆଜି ରାତିଠୁ ପବନର ବେଗ ବଢ଼ିବ । ତେବେ କେଉଁ ଦିନ ହେବ କେତେ ପବନ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ପ୍ରବାହରେ ଆଜି ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୪ରୁ ୫୫ କିମି ବେଗରେ ପବନ ବହିବ । ସେହିପରି ଝଟକା ପବନ ୬୫ କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ସମ୍ଭାବ୍ୟ ବାତ୍ୟାଟି ଗଭୀର ଅବପାତରେ ପରିଣତ ହେବା ପରେ ଓଡ଼ିଶା ଉପକୂଳରେ ପବନର ବେଗ ବ‍ଢ଼ିବ । ଆଜି ରାତିରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ । ସେହିପରି ଝଟକା ପବନ ୭୦ କିମି ବେଗରେ ବହିବ ।

ଗଭୀର ଅବପାତ ଆସନ୍ତାକାଲି ବାତ୍ୟାର ରୂପ ନେବା ପରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିମି ରହିବ । ୨୪ ତାରିଖ ସକାଳେ  ଭୀଷଣ ବାତ୍ୟାର ରୂପ ନେବା ପରେ ପବନର ବେଗ ବଢ଼ିବ । ଘଣ୍ଟାପ୍ରତି ୯୦ରୁ ୧୦୦  କିମି ବେଗରେ ପବନ ବହିବ ।

ସମ୍ଭାବ୍ୟ ବାତ୍ୟା ଉପକୂଳ ଅତିକ୍ରମ କରିବାବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟାଟି ଲ୍ୟାଣ୍ଡଫଲ୍ କରିବା ପରେ ୨୫ ତାରିଖ ସକାଳେ ଓଡ଼ିଶା ଉପକୂଳରେ ପବନର ବେଗ କମିଯିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ୮୫ କିମି ରହିବ । ସେହିପରି ଝଟକା ପବନ ବେଗ ୯୫ କିମି ରହିବ ।