ମାଆ କିଚକେଶ୍ବରୀ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା


ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱରୀଙ୍କ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଚି । ଦୁର୍ବୃତ୍ତ ମନ୍ଦିର ଦାନ ହୁଣ୍ଡି ଭାଙ୍ଗିବା ସହିତ ଖିଚିଂ ସଂଗ୍ରହାଳୟରେ ତାଲା ଭାଙ୍ଗି ଆଲମୀରା ଭାଙ୍ଗି ଦେଇଛନ୍ତି । ତେବେ କ’ଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନି । ମାଆଙ୍କ ମନ୍ଦିରରେ ଚୋରି ହେବାର ଏହା ପ୍ରଥମ ଘଟଣା ।

ମନ୍ଦିର ପ୍ରଶାସନ ପକ୍ଷରୁ ରରୁଆଁ ଥାନାରେ ଖବର ଦିଆଯିବା ପରେ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ମାଆ କିଚକେଶ୍ୱରୀ ମନ୍ଦିରରେ ତିନି ତିନି ଥର ଚୋରି ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ମାତ୍ର ଗତ ରାତିରେ ସେମାନେ ଚୋରି କରି ପାର୍‌ ହୋଇଯାଇଛନ୍ତି । ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ବି ଏପର୍ଯ୍ୟନ୍ତ ପୋଲିସ କାହାରିକି ଗିରଫ କରିନାହିଁ । ଯାହା ଫଳରେ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି । ଅନ୍ୟପଟେ ମନ୍ଦିର ପରିସରରେ ଲାଗିଥିବା CCTV ମଧ୍ୟ ଦୀର୍ଘ ଦିନ ହବ ଅଚଳ ହୋଇ ପଡ଼ିଛି । ଯାହା ଚୋରମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ସୁବିଧା ହେଉଛି । ତେଣୁ ଏଥିପ୍ରତି ବି ମନ୍ଦିର ପ୍ରଶାସନ ଦୃଷ୍ଟି ଦେଇ CCTV କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।