ମହିଳାଙ୍କ ହାତରେ ରହିବ ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ବ


ଭୁବନେଶ୍ବର: ସମ୍ଭାବ୍ୟ ବାତା ‘ଦାନା’କୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ବାତ୍ୟା ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାର ବ୍ୟବସ୍ଥା କରାଯାଇଛି । ଏବେ ଏହିସବୁ ବାତ୍ୟା ଆଶ୍ରୟ ସ୍ଥଳିର ଦାୟିତ୍ୱରେ ରହିବେ ମହିଳା । ଏନେଇ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ଦେଓରଞ୍ଜନ କୁମାର ସିଂ । ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯିବ, ତା’ଉପରେ ଗୁରୁତ୍ୱ ଦେବା ସହ ଆଶ୍ରୟସ୍ଥଳୀରେ ପାନୀୟ ଜଳ ଯୋଗାଣ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି ।

ଏସଆରସି ଚିଠିରେ ଉଲ୍ଲେଖ କରିଛନ୍ତି, ୩ ସ୍ଥାନୀୟ ଅଧିକାରୀଙ୍କୁ ନେଇ ରିଲିଫ ସେଣ୍ଟର ପାଇଁ ଟିମ୍ ପ୍ରସ୍ତୁତ କରାଯିବ । ଯେଉଁଥିରେ ୨ ଜଣ ପୁରୁଷ ଓ ଜଣେ ମହିଳା ରହିବେ । ଆଶା ଦିଦି, ଶିକ୍ଷୟିତ୍ରୀ ମଧ୍ୟ ରିଲିଫ୍ ସେଣ୍ଟରରେ ରହିବେ । ସେହିପରି କନଷ୍ଟେବଳ କିମ୍ବା ମହିଳା ହୋମଗାର୍ଡଙ୍କୁ ମଧ୍ୟ ନିଯୁକ୍ତ କରାଯିବ । ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ବାତ୍ୟା ମୁକାବିଲା ପାଇଁ ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ୫ଟି ଏନଡିଆରଏଫ ଟିମ୍ । ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ୫ଟି ଟିମରେ ମୋଟ ୧୫୨ ଜଣ ସଦସ୍ୟ ଅଛନ୍ତି । ସେମାନେ ପ୍ରଭାବିତ ୫ଟି ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ମୁତୟନ ହେବେ । ଟିମରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି । ବତ୍ୟାରେ ମହିଳାଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ଏମାନେ କାର୍ଯ୍ୟ କରିବେ । ସେମାନେ ବାତ୍ୟା ସମୟରେ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରାଶ ଓ ଉପକରଣ ସହ ଜିଲ୍ଲାକୁ ଗସ୍ତ କରିବେ ।