ପୀଡିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁସ୍ମାରକପତ୍ର,ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି


ସମ୍ବଲପୁର:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।ପୂର୍ବରୁ ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଅପହରଣ ଓ ଅସଦାଚରଣ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଥିବା ବେଳେ ଅପହରଣରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଥିଲା।ହେଲେ ପିଡିତା ତାଙ୍କର ବୟାନ ବଦଳାଇ ସୋମବାର ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କ ଠାରେ ତାଙ୍କୁ ୫ଜଣ ଗଣ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି।ଏଥିରେ ଆଉ ଦୁଇଜଣ ଅଭିଯୁକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ପ୍ରଭାବଶାଳୀ ଓ ମନ୍ତ୍ରୀଙ୍କ ଲୋକ ହୋଇଥିବାରୁ ପୋଲିସ ତାଙ୍କୁ ବଞ୍ଚାଇବାକୁ ବଳାତ୍କାର ମାମଲା ରୁଜୁ କରି ନଥିବା କହିଛନ୍ତି।ତେଣୁ ଏହାକୁ ନେଇ ରାଜନୈତିକ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଛି।ମଙ୍ଗଳବାର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଗୌରବମୟ ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ କୁଚିଣ୍ଡା ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି।ବିଜେଡିର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ନେତୃତ୍ଵରେ ବହୁସଂଖ୍ୟକ ନେତା ଓ କର୍ମୀ ନାବାଳିକା ବଳାତ୍କାର ଘଟଣା ନେଇ ଉପଜିଲ୍ଲାପାଳ ଅଫିସ ସମ୍ବୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଳାତ୍କାର ଘଟଣାରେ ମୁହଁ ଖୋଲିଲେ ପୀଡିତା ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଇଥିବାରୁ ଚାପଗ୍ରସ୍ଥ ହୋଇ ସେ ୧୬ତାରିଖ ଦିନ କୁଚିଣ୍ଡା ଥାନାରେ ଅପହରଣ ଓ ଅସଦାଚରଣ ରିପୋର୍ଟ କରିଥିଲେ।ପୀଡିତା ଏବେ ବୟାନ ବଦଳାଇଥିବାରୁ ତାଙ୍କ ପ୍ରତି ବିପଦ ରହିଛି।ତେଣୁ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ବିଜେଡି ଦାବିପତ୍ରରେ ଉଲ୍ଲେଖ କରିଛି।ଏହାଛଡ଼ା ଜଣେ ଅଭିଯୁକ୍ତ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଘନିଷ୍ଠ ହୋଇଥିବାରୁ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ବୋଲି ବିଜେଡି ଦାବିକରିଛି।ଏଥିସହ ବିଜେଡି ପକ୍ଷରୁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର,ସମ୍ବଲପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ,କୁଚିଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ନକଲ ପ୍ରଦାନ କରି ପୀଡିତାଙ୍କୁ ନ୍ୟାୟ ଦାବି କରିଛି।ସୂଚନା ଯୋଗ୍ୟ ଯେ,ଗତ ୧୫ତାରିଖ ଦିନ କୁଚିଣ୍ଡା ପଞ୍ଚମୂଖି ଛକରେ କରମା ପୂଜା ଅନୁଷ୍ଠିତ ହୋଇଥିଲା।ପୀଡିତା କରମା ପୂଜା ଦେଖିବାକୁ ଯାଇଥିବା ବେଳେ ରାତି ସାଢେ ୧ଟାରେ କାହ୍ନା ଛତ୍ରିଆ ନାମକ ଜଣେ ଯୁବକ ତାଙ୍କୁ ବୁଲିଯିବାକୁ କହିଥିଲେ।ପିଡିତାଙ୍କ ଅନିଛାସତ୍ତ୍ୱେ କାହ୍ନା ଏକ କାରରେ ତାଙ୍କୁ ବସାଇ ନେଇଥିଲେ ଓ କାରରେ ପୂର୍ବରୁ ଦୁଇଜଣ ଥିଲେ।ପରେ ତାଙ୍କୁ ଥଣ୍ଡା ପାନୀୟରେ ମଦ ମିଶାଇ ଜବରଦସ୍ତ ପିଆଇଥିଲେ।ଭୋର ପ୍ରାୟ ୪ଟା ସମୟରେ ତାଙ୍କୁ ପଞ୍ଚମୂଖି ଛକ ହନୁମାନ ମନ୍ଦିର ଠାରେ ଛାଡି ଦେଇଥିଲେ।ପୀଡିତା ଘଟଣା ସମ୍ପର୍କରେ ତାଙ୍କ ବାପାଙ୍କୁ କହିବାରୁ ୧୬ ତାରିଖରେ କୁଚିଣ୍ଡା ଥାନାରେ ରିପୋର୍ଟ କରିବାକୁ ଯାଇଥିଲେ।ମନ୍ତ୍ରୀଙ୍କ ଲୋକ ବୋଲାଉଥିବା ଜଣେ ଅଭିଯୁକ୍ତ ପୂର୍ବରୁ ଥାନାକୁ ଆସି ବସିଥିବାରୁ ତାଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ।ଯେହେତୁ ସେ ବଳାତ୍କାର ଘଟଣା କାହା ଆଗରେ ନକହିବାକୁ ପୂର୍ବରୁ ତାଗିଦ କରି ହତ୍ୟା ଧମକ ଦେଇଥିଲେ। ତାଙ୍କସହ ପରିବାରର ଜୀବନ ପ୍ରତି ବିପଦ ଥିବାରୁ ଥାନାରେ ବଳାତ୍କାର ରିପୋର୍ଟ କରି ନଥିବା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ସେ କହିଛନ୍ତି।କୁଚିଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅମିତାଭ ପଣ୍ଡାଙ୍କୁ ଦାବିପତ୍ର ଦେବା ସମୟରେ ସେ କହିଛନ୍ତି ଯେ,ପିଡିତାଙ୍କ ରିପୋର୍ଟ ଆଧାରରେ ଥାନାରେ ଅପହରଣ ଓ ଅସଦାଚରଣ ମାମଲା ରୁଜୁ ହୋଇଥିଲା।ସେ ବୟାନ ବଦଳାଇ ଗଣବଳାତ୍କାର ଅଭିଯୋଗ କରିବା ପରେ ଆରକ୍ଷୀ ଅଧିକ୍ଷକ ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟିତ୍ବ ଦେଇଥିବା କହିଛନ୍ତି।ବିଜେଡିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ,କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ବର କିଷାନ,ଜିଲ୍ଲାପରିଷଦ ସଭ୍ୟ ଅଜିତ ମହାପାତ୍ର ଓ କୃଷ୍ଣଚନ୍ଦ୍ର ଟପ୍ପୋ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ବେହେରା,କୁଚିଣ୍ଡା ଏନଏସି ଉପାଧ୍ୟକ୍ଷା ଦେବଯାନୀ କାଲୋ, ନଗରସଭାପତି ନବୀନ ହୋତା, କାଉନସିଲର ଇତିରାଣି ବାଘ,ଗିତାଞ୍ଜଳୀ ନାଏକ,ଅଜିତ ଛତ୍ରିଆ,ରଶ୍ମିକାନ୍ତ ସାମଲ,ଗଜେନ୍ଦ୍ର ଭୋଇ,ବିଜୁ ସାହୁ,ଗଣେଷ ଅଗ୍ରୱାଲ,ଜନକାମିଲ୍ ଲାକ୍ରା,ଅଶ୍ୱିନୀ ନାୟକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର କିଷାନଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।ଆଜି ଏକ ଦଳ ପୀଡିତା ଓ ତାଙ୍କ ପରିବାରକୁ ଭେଟିଥିବା ଖବର ମିଳିଛି।