ପ୍ରତିଭା ବିକାଶ ମହୋତ୍ସବ ଉଦ୍ଯାପିତ: ପ୍ରତିଭାର ବିକାଶ ସହ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବାକୁ ଅତିଥିଙ୍କ ଆହ୍ୱାନ
ଜମନକିରା : “ତଥାକଥିତ ପଛୁଆ ବୋଲାଉଥିବା ଛାତ୍ରଛାତ୍ରୀଙ୍କ ଭିତରେ ମଧ୍ୟ ଅପାର ପ୍ରତିଭା ଓ ମେଧା ଲୁକ୍କାୟିତ ଥାଏ। ଉପଯୁକ୍ତ ସୁଯୋଗ ଓ ମାର୍ଗଦର୍ଶନ ମିଳିଲେ ସେମାନେ ରାଷ୍ଟ୍ରର ଶ୍ରେଷ୍ଠ କର୍ଣ୍ଣଧାର ହୋଇପାରିବେ।” ଏହି ଉଦ୍ଦେଶ୍ୟକୁ ପାଥେୟ କରି ବିଗତ ୨୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି ‘ପ୍ରତିଭା ବିକାଶ ଅଭିଯାନ’। ଏହି ଅଭିଯାନରେ ସାମିଲ ହୋଇ ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ଗୁଣାବଳୀର ଉତ୍ତରଣ ଘଟାଇବା ସହ ଦେଶସେବାରେ ନିଜକୁ ନିୟୋଜିତ କରିବାକୁ ବରେଣ୍ୟ ଅତିଥିଗଣ ଆହ୍ୱାନ ଦେଇଛନ୍ତି।
ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ଓ ସ୍ମୃତି ଉଦ୍ଦେଶ୍ୟରେ ଭୋଜପୁର ସରକାରୀ (ଏସ.ଏସ.ଡି.) ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସ୍ତରୀୟ ‘ପ୍ରତିଭା ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାଗୃହରେ ଆୟୋଜିତ ଏହି ଭବ୍ୟ ଉଦ୍ଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ନିକୁଞ୍ଜ ରଣା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନେ ପୂଜ୍ୟପୂଜା ପରମ୍ପରା ଅନୁଯାୟୀ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ସହ ମାଲ୍ୟାର୍ପଣ କରିଥିଲେ।
ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ କହିଥିଲେ ଯେ, “ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଉଭୟ ଛାତ୍ର ଜୀବନରେ ଅତି ସାଧାରଣ ଥିଲେ ହେଁ ନିଜର ଦୃଢ଼ ସଂକଳ୍ପ, ନିରନ୍ତର ସାଧନା ଓ ପ୍ରତିଭାର ବିକାଶ ବଳରେ ଯଥାକ୍ରମେ ସମଗ୍ର ବିଶ୍ୱ ଏବଂ ଭାରତବର୍ଷକୁ ଐତିହାସିକ ନେତୃତ୍ୱ ପ୍ରଦାନ କରିପାରିଥିଲେ।” ସେହିପରି କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସୁବୋଧ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଅହିଂସା ଓ ସଦ୍ଭାବନା’କୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ଏବଂ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ।
ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବକ୍ସମା ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ପରିଡ଼ା ଏବଂ ଭାତପୁରା ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ଗୌଡ଼ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଉତ୍ସବର ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଚକ୍ରଧର ମାଝୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଛାତ୍ରୀମାନେ ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅଭିଯାନର ଆବାହକ ପ୍ରଭାତ ବେହେରା ଆଗାମୀ ରୌପ୍ୟ ଜୟନ୍ତୀ ବର୍ଷର ବିସ୍ତୃତ କାର୍ଯ୍ୟଖସଡ଼ା ଉପସ୍ଥାପନ କରିଥିବା ବେଳେ କ୍ରୀଡ଼ା ଅଧ୍ୟାପକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ସଂଯୋଜକ ରମେଶ କିଷାନ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଚଳିତ ବର୍ଷ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମହୋତ୍ସବରେ ଗାନ୍ଧୀ-ଶାସ୍ତ୍ରୀଙ୍କ ଜୀବନୀଭିତ୍ତିକ କୁଇଜ୍, ସାଧାରଣ ଜ୍ଞାନ ପରୀକ୍ଷା, ଏକାଙ୍କିକା, ପ୍ରବନ୍ଧ ଲିଖନ, ବକ୍ତୃତା, ସଙ୍ଗୀତ, ଝୋଟି-ରଙ୍ଗୋଲି ଏବଂ ଫୁଲତୋଡ଼ା ନିର୍ମାଣ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର, ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ରମେଶ କିସାନ, ସୁମନ୍ତ ମହାକୁଲ, ବିରେନ ସାହୁ, ଖଗେଶ୍ୱର ନାଏକ, ପ୍ରଦୀପ ବାରିକ, ଚାରୁଲତା ମାଝୀ, ମନୋରଞ୍ଜନ ପଟେଲ, ଅକ୍ଷୟ ନାଏକ, ପ୍ରକାଶ ସାହୁ, ଜମିଲେ ମିଞ୍ଜ, ନିରଞ୍ଜନ ଜାମୁଡାଲିଆ, ଧନେଶ୍ୱର ବେହେରା, ସମ୍ବାରୁ ସିଂ, ମନୋରଞ୍ଜନ ମାଝୀ, ରଣ ମିଞ୍ଜ, ଉଗ୍ରସେନ ରଞ୍ଜିତ୍, ବାବୁଲୁ ସା, ସୁବ୍ରତ ନନ୍ଦ, ରଞ୍ଜୁଲତା ବାଗ, ଯୋଗେଶ୍ୱରୀ ସାହୁ, ଉଷାରାଣୀ, ମଞ୍ଜୁଲତା ବାଗ ଓ ପଙ୍କଜିନୀ ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

