Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖବର ପ୍ରଭାବ: ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲା, ହେଲେ ଆଖିରେ ଧୂଳି ଦେବା ସାର ହେଲା! ତରବରିଆ ଭାବେ ବଡ଼ରମା ସେବାଶ୍ରମ ବିଦ୍ୟାଳୟରେ ଲେଖାହେଲା ସୂଚନା ଫଳକ; ଅଧୁରା ତଥ୍ୟକୁ ନେଇ ପୁଣି ଉଠିଲା ପ୍ରଶ୍ନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ରମା ସରକାରୀ ସେବାଶ୍ରମ ବିଦ୍ୟାଳୟରେ ନିର୍ମାଣାଧୀନ କୋଠାର ସୂଚନା ଫଳକ ଦୀର୍ଘ ୮ ମାସ ଧରି ଧଳା ହୋଇ ପଡ଼ିରହିବା ଏବଂ ସରକାରୀ ରାଜକୋଷ ହରିଲୁଟ୍ ଆଶଙ୍କା ନେଇ ଖବର ପ୍ରକାଶ ପାଇବା ପରେ ଶେଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଛି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭାଗୀୟ ମହଲରେ ତୀବ୍ର ଚଳଚଞ୍ଚଳତା ପ୍ରକାଶ ପାଇବା ସହ ତରବରିଆ ଭାବେ ଠିକାଦାରଙ୍କ ଜରିଆରେ ଫଳକ ଲେଖିବା କାର୍ଯ୍ୟ ଶେଷ କରାଯାଇଛି। ତେବେ ଲୋକଙ୍କ ଆଖିରେ ଧୂଳି ଦେବା ଭଳି ଏହି ଫଳକରେ ମଧ୍ୟ ଅଧାପନ୍ତରିଆ, ତ୍ରୁଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦର୍ଶାଯାଇଥିବାରୁ ପ୍ରଶାସନର ତଥାକଥିତ ସ୍ୱଚ୍ଛତା ଓ ଆନ୍ତରିକତା ଉପରେ ପୁଣି ଥରେ ତୀବ୍ର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ବିଦ୍ୟାଳୟର ୨୩୮ ଜଣ ନିଷ୍ପାପ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା ଶ୍ରେଣୀଗୃହ ସମସ୍ୟା ଦୂର କରିବା ନିମନ୍ତେ କୁଚିଣ୍ଡା ଆଇଟିଡିଏ ପକ୍ଷରୁ ଏହି କୋଠା ନିର୍ମାଣ ହେଉଛି। କୋଠାର କାନ୍ଥ ଓ ଛାତ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ପ୍ରକଳ୍ପର ଅଟକଳ ମୂଲ୍ୟ, କାର୍ଯ୍ୟାଦେଶ କିମ୍ବା ଠିକାଦାରଙ୍କ ନାମ ନଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଗତକାଲି ଏହି ଅନିୟମିତତା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀମାନେ ନିଜ ଦୋଷ ଢାଙ୍କିବାକୁ ଯାଇ ତରବରିଆ ଭାବେ ଫଳକଟିକୁ ରଙ୍ଗ କରି ଲେଖାଇଛନ୍ତି।
ଉକ୍ତ ନୂତନ ଫଳକରେ ଦର୍ଶାଯାଇଛି ଯେ, ଏହା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ (ST & SC Dev. and M&BCW Dept.) ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷର ଯୋଜନାରେ ନିର୍ମିତ ହେଉଛି। କୁଚିଣ୍ଡା ଆଇଟିଡିଏ ଏଜେନ୍ସି ଜରିଆରେ କାର୍ଯ୍ୟକାରୀ ହେଉଥିବା ଏହି ଅତିରିକ୍ତ ଶ୍ରେଣୀଗୃହ ପ୍ରକଳ୍ପର ଅଟକଳ ମୂଲ୍ୟ ୩୫ ଲକ୍ଷ ଟଙ୍କା ବୋଲି ଉଲ୍ଲେଖ ରହିଛି।
ତେବେ ଏହା କେବଳ ଲୋକଦେଖାଣିଆ ଓ କାର୍ଯ୍ୟରୁ ଖସିଯିବାର ଏକ ଅପଚେଷ୍ଟା ବୋଲି ଅଭିଯୋଗ ହେଉଛି। ପ୍ରକଳ୍ପର କାର୍ଯ୍ୟ କେବେ ଆରମ୍ଭ ହେଲା, କେବେ ସୁଦ୍ଧା ଶେଷ ହେବାକୁ ସମୟସୀମା ଧାର୍ଯ୍ୟ ହୋଇଛି, ସରକାରୀ କାର୍ଯ୍ୟାଦେଶ (Work Order) ନମ୍ବର କ’ଣ ଏବଂ ସବୁଠାରୁ ବଡ଼ କଥା ହେଉଛି କେଉଁ ଠିକାଦାର ବା ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି କାମ ହେଉଛି— ତାହାକୁ ରହସ୍ୟଜନକ ଭାବେ ସମ୍ପୂର୍ଣ୍ଣ ଗୋପନ ରଖାଯାଇଛି। ସୂଚନା ଅଧିକାର ଆଇନର ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରି କେବଳ କାଗଜକଲମ ଓ ବୋର୍ଡ଼ରେ ହିସାବ ସାରିଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ସମ୍ପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଗୋପୀନାଥ କାଲୋଙ୍କୁ ପଚାରି ବୁଝିବାରୁ ସେ ନିଜ ସଫେଇରେ କହିଛନ୍ତି ଯେ, “ବୋର୍ଡ଼ ତିଆରି କରାଯାଇ ତାହାକୁ ରଙ୍ଗରେ ଲେଖାଯାଇଛି।” ତେବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କାହିଁକି ବାଦ୍ ପଡ଼ିଲା, ସେ ନେଇ ପ୍ରଶାସନିକ ସ୍ତରରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ। ବିଭାଗ ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏଭଳି ପ୍ରହସନ କରୁଛି ବୋଲି ଗ୍ରାମବାସୀ ତଥା ପରିଚାଳନା କମିଟି ଅଭିଯୋଗ କରିବା ସହ ତୁରନ୍ତ ସମସ୍ତ ତଥ୍ୟ ସାର୍ବଜନୀନ କରିବା ଏବଂ କାର୍ଯ୍ୟର ମାନ ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବାକୁ ଦୃଢ଼ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories