ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପରେ ଭୁବନେଶ୍ବରରେ ସ୍ବାଭାବିକ ହେଲା ବିମାନ ସେବା


ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ରାଜଧାନୀ ଭୁବନେଶ୍ବର ଏୟାରପୋର୍ଟରେ ବନ୍ଦ ଥିବା ବିମାନ ଉଡ଼ାଣ ସ୍ବାଭାବିକ ହୋଇଛି । ସକାଳ ୮ଟାରୁ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ବିମାନ ଉଡାଣ ଆରମ୍ଭ ହୋଇଛି ।
ବାତ୍ଯା ପାଇଁ ଗତକାଲିଠୁ ବିମାନ ସେବା ବନ୍ଦ ଥିଲା । ପବନର ବେଗ ଅଧିକ ରହିବାର ଆଶଙ୍କା ଥିବାରୁ ଉଡ଼ାଜାହାଜ ଉଡ଼ିବା ସୁରକ୍ଷିତ ନଥିଲା । ତେଣୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାଦ୍ଵାରା ପ୍ରାୟ ୪୦ଟି ଫ୍ଲାଇଟ୍ ପ୍ରଭାବିତ ହୋଇଥିଲା । ବାତ୍ଯା ଲ୍ଯାଣ୍ଡଫଲ୍ ସରିବା ପରେ ସ୍ଥିତିକୁ ଦେଖି ସକାଳ ୮ଟାରୁ ବିମାନ ଚଳାଚଳ ସ୍ବାଭାବିକ କରାଯାଇଥିବା ଜଣାପଡିଛି । ପାଣିପାଗ ଦେଖି ସମୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଟିକେଟ କରିଥିଲେ ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବା ବା ଫ୍ଲାଇଟ୍ ରିସ୍ୟୁଡୁଲ କରିବା ବ୍ଯବସ୍ଥା କରିଛି ।