ବାତ୍ୟା ପରେ ଲଗାଣ ବର୍ଷା: ଆଜି ପାଇଁ ୫ ଜିଲ୍ଲାରେ ସ୍କୁଲ ଛୁଟି


ଭୁବନେଶ୍ବର: ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହାକୁ ଆଖି ଆଗରେ ରଖି ଆଜି ପାଇଁ ୫ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ।

ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ଆଜି ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଫଳରେ ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଣ୍ଟରରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବନ୍ଦ ଘୋଷଣା କରାଯାଇଛି ।

ଭଦ୍ରକରେ ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । ସେହିପରି, ମୟୂରଭଞ୍ଜରେ ସ୍କୁଲ୍ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ସହ ବନ୍ଦ ରହିବ କଲେଜ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବାକୁ ଡିଇଓ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବଳ ବର୍ଷା ଆଶଙ୍କାରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଆସନ୍ତାକାଲି ଶନିବାର ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏସବୁ ଜିଲ୍ଲାଗୁଡ଼ିକରେ କିଛି ସ୍କୁଲ୍ ଓ କଲେଜଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବାରୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ବାତ୍ୟା ‘ଦାନା’ ଗତ ଗୁରୁବାର ମଧ୍ୟ ରାତ୍ରରେ ଭିତରକନିକାରେ ମାଡ଼ ହେବା ପରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଗତକାଲି ଏହା ଡିପ ଡିପ୍ରେସନ୍‌ରେ ଓ ଆଜି ସକାଳେ ଆହୁରି ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହୋଇଛି । ଏହା ପ୍ରଭାବରେ ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ।