ରାସ୍ତାରେ ପଡ଼ିଥିବା ଗଛକୁ ପିଟିଲା ବସ୍


ବାଲେଶ୍ବର: ବାତ୍ୟା ‘ଦାନା’ର କୋପରେବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗାଣ୍ଡିବେଡ଼ ବଜାର ନିକଟରେ ଏମିତି ପଡ଼ିଥିବା ଏକ ଗଛକୁ ଧକ୍କା ଦେଇଛି ବସ୍ । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।

‘BT & BT’ ନାମକ ଏକ ଘରୋଇ ଆଜି ଭୋରରୁ ଯାତ୍ରୀଙ୍କୁ ଧରି ବାଲେଶ୍ୱର ଜିଲ୍ଲା ଔପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ମାତ୍ର ଗାଣ୍ଡିବେଡ଼ଠାରେ ଏକ ବଙ୍କାଣି ମୁଣ୍ଡରେ ଏକ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ଯାଇଥିଲା । ଡ୍ରାଇଭର ଜଣକ ଦ୍ରୁତ ଗତିରେ ଆସୁଥିବା ବେଳେ ଏହା ଜାଣି ପାରି ନଥିଲେ । ଫଲରେ ବସ୍‌ଟି ଗଛରେ ମାଡ଼ ହୋଇଥିଲା ।

ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ମାତ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି । ଏହାପରେ ଅନ୍ୟ ଏକ ବସ୍‌ର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯାଇଛି । ଖବର ପାଇ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ବେଳେ ଗଛ ସମେତ ବସ୍‌କୁ ରାସ୍ତାରୁ ହଟାଇବାକୁ ପ୍ରୟାସ ଆମ୍ଭର କରିଛନ୍ତି । ଏଥିଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।