ଲଜିଷ୍ଟିକ ଗାଡ଼ିରୁ ୨୦ କେଜି ସୁନା ଜବତ


ବାରିପଦା: ଜିଏସ୍‌ଟି ଫାଙ୍କିବା ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଏକ ଲଜିଷ୍ଟିକ୍‌ ଗାଡ଼ିକୁ ୨୦ କେଜିରୁ ଅଧିକ ସୁନା ଜବତ କରାଯାଇଛି । ଏହି ସୁନା କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା ତାହାର ଛାନଭିନ୍‌ ଚାଲିଥିବା ବେଳେ କମ୍ପାନୀର ଦୁଇ କର୍ମଚାରୀ ଅଟକ ଅଛନ୍ତି ।

ଗତକାଲି ମଧ୍ୟ ରାତିରେ କୋଲକତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ ଆସିଥିଲା । ମୁମ୍ବାଇରୁ ଉକ୍ତ ସୁନା ଫ୍ଲାଇଟ୍‌ରେ କୋଲକତାରେ ପହଞ୍ଚିଥିଲା । ଏହାପରେ ସେଠାରୁ ସଡ଼କ ପଥରେ ଲଜିଷ୍ଟିକ୍‌ ଗାଡ଼ିରେ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା ।

ଏନେଇ ଜିଏସ୍‌ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ । ମଧ୍ୟ ରାତ୍ରିରେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ପୋଲିସ୍‌ ସହାୟତାରେ ତାହାକୁ ଅଟକ ରଖାଯାଇଛି ।

ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସୁନା ଦୋକାନକୁ ଏହି ସୁନା ଆସିଥିବା ଜଣାଯାଇଛି । ତେବେ କେଉଁ ଦୋକାନକୁ କେତେ ସୁନା ଆସିଛି, ସେମାନେ ଜିଏସ୍‌ଟି ପଇଠ କରିଛନ୍ତି ନା ଫାଙ୍କିଛନ୍ତି ତାହାର ଯାଞ୍ଚ ଚାଲିଛି । ଗାଡ଼ିଟି ସିଲ୍‌ ହୋଇଥିବା ବେଳେ ତାହାକୁ ଥାନା ପରିସରରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଏଥିସହ ସମ୍ପୃକ୍ତ ସୁନା ଦୋକାନୀମାନଙ୍କୁ ଥାନାକୁ ଡକାଯାଇଛି । ସେମାନେ ପହଞ୍ଚିବା ପରେ ସିଲ୍‌ ଖୋଲାଯାଇ ସୁନା ଓଜନ କରାଯିବା ସହ ଜିଏସ୍‌ଟି ବିଲ୍‌ ଯାଞ୍ଚ କରାଯିବ ବୋଲି ଅଧିକାରୀ କହିଛନ୍ତି ।