ରୋଗୀଙ୍କ ସମ୍ପର୍କୀୟଙ୍କୁ ପାଇଥିବା ଟଙ୍କା ଫେରାଇ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ହେଲପର୍


କେନ୍ଦ୍ରାପଡ଼ା: ବାତ୍ୟା ସମୟରେ ରୋଗୀଙ୍କୁ ନେଇ ଯାଇଥିବା ଜଣେ ଆମ୍ବୁଲାନ୍ସ ହେଲପର୍ ପାଇଥିବା ଟଙ୍କା ରୋଗୀଙ୍କ ସମ୍ପର୍କୀୟଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି । ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି । ବିପର୍ଯ୍ୟୟ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସ୍ଥାନୀୟ ଲୋକେ ତଥା ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କର ପ୍ରଶଂସା କରିଛନ୍ତି ।

ବାତ୍ୟା ‘ଦାନା’ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗାଁକୁ ରୋଗୀଙ୍କୁ ଆଣିବାକୁ ଯାଇଥିଲା ଆମ୍ବୁଲାନ୍ସ । ଗଛ ଭାଙ୍ଗିପଡ଼ି ରାସ୍ତା ଅବରୋଧ ସତ୍ତ୍ବେ ବହୁ ସଂଘର୍ଷ ପରେ ରୋଗୀଙ୍କୁ ଆଣିବାକୁ କାଠୁଆ ଗାଁରେ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ । ରୋଗୀଙ୍କ ଗାଁରେ ପହଞ୍ଚିଥିଲେ ମଧ୍ୟ ରୋଗୀଙ୍କ ଘର ପର୍ଯ୍ୟନ୍ତ ଯାଇପାରି ନଥିଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସ ହେଲପର ମାନସ କୁମାର ମଲ୍ଲିକ ରୋଗୀଙ୍କୁ ଟେକି ଟେକି ଆମ୍ବୁଲାନ୍ସ ମଧ୍ୟକୁ ଆଣିଥିଲେ । ପରେ ରୋଗୀଙ୍କୁ ସୁରକ୍ଷିତ ଭାବେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ରୋଗୀଙ୍କୁ ଛାଡ଼ିବା ପରେ ଆମ୍ଵୁଲାନ୍ସ ଭିତର ସଫା କରୁଥିବା ବେଳେ ରୋଗୀଙ୍କ ସମ୍ପର୍କୀୟଙ୍କ ପକେଟରୁ ପଡ଼ିଯାଇଥିବା ୬ ହଜାର ୫୦୦ ଟଙ୍କା ପାଇଥିଲେ ମାନସ । ଟଙ୍କା ପାଇବା ପରେ ସଙ୍ଗେ ସଙ୍ଗେ ରୋଗୀଙ୍କ ସମ୍ପର୍କୀୟଙ୍କୁ ତାଙ୍କ ଟଙ୍କା ଫେରାଇଥିଲେ ।