ଆଜି ବି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ଆଜି ମଧ୍ୟ ବାତ୍ୟାଞ୍ଚଳ ବୁଲି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଆକାଶମାର୍ଗରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସର୍ଭେ କରିବେ । ଏଥିସହ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିଥିବା କେନ୍ଦ୍ରପଡ଼ା ଜିଲ୍ଲା ହାବେଳୀଖଟିର ବି ସ୍ଥିତି ପରଖିବେ । ଏହାପରେ ମୁଖ୍ୟମନ୍ତ୍ରୀ ଏସଆରସି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଆଜି ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଏରିଅଲ ସର୍ଭେ କରିବେ । ଉକ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ବି ଉପସ୍ଥିତ ରହିବେ ।

ବାତ୍ୟା ‘ଦାନା’ ପରେ ପ୍ରବଳ ବର୍ଷା ହେତୁ ବୁଢ଼ାବଳଙ୍ଗ ନଦୀ ଉଛୁଳି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏପରିକି ବହୁ ଗାଁରେ ପାଣି ପଶିଯିବା ସହ ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି ।

ଏହାପରେ ମୁଖ୍ୟମନ୍ତ୍ରୀ ବାତ୍ୟା ଲ୍ୟାଣ୍ଡଫଲ୍‌ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ହାବେଳୀଖଟିର ସ୍ଥିତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବେ । ଏଥିସହ ସେଠାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବି ସବିଶେଷ ତଥ୍ୟ ସଂଗ୍ରହ କରିବେ । ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏସଆରସି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ । ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ସ୍ଥାନର ଏରିଅଲ ସର୍ଭେ କରିଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ନଭେମ୍ବର ୨ ତାରିଖ ସୁଦ୍ଧା ସବୁ ବିଭାଗ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବେ। ଏହାପରେ ପ୍ରଭାବିତଙ୍କୁ ସରକାରୀ ସହାୟତା ମିଳିବ ବୋଲି ଘୋଷଣା କରିଥିଲେ । ଖୁବ୍‌ ଶୀଘ୍ର ବିଦ୍ୟୁତ ସରବରାହ ବ୍ୟବସ୍ଥା ସୁଧାରିବା ସହ ଲୋକଙ୍କ ପାଖରେ ସମ୍ପୂର୍ଣ୍ଣ ସହାୟତା ମିଳିବା ନେଇ ଆଶ୍ୱାସନା ଦେଇଥିଲେ ମୁଖ୍ୟମନ୍ତ୍ରୀ।