କେନ୍ଦୁଝର: ଖାଦ୍ୟ ଅନ୍ୱେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲେ ପ୍ରାୟ ୨୮ ବାରହା । ଗତରାତିରେ ବାରହାମାନେ କୂଅରେ ପଡ଼ିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ । କେନ୍ଦୁଝର ସଦର ରେଞ୍ଜ ଭଗାମୁଣ୍ଡା ଗାଁର ଘଟିଛି ଏହି ଘଟଣା ।
ବାରହାମାନେ ଜମିରୁ ଫସଲ ଖାଇବାକୁ ଗତ ରାତିରେ ଭଗାମୁଣ୍ଡା ଗାଁ ମୁହାଁ ହୋଇଥିଲେ । ମାତ୍ର ହଠାତ୍ ସେମାନେ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ ।
ଆଜି ସକାଳେ ଗ୍ରାମବାସୀ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ବାରହାମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି । ଏକ ଜେସିବି ସହାୟତାରେ କୂଅ ନିକଟରୁ ରାସ୍ତା ତିଆରି ହେଉଛି । ଉକ୍ତ ରାସ୍ତା ଦେଇ ବାରହାମାନେ ଜଙ୍ଗଲକୁ ଚାଲିଯିବେ ବୋଲି ବନ ଅଧିକାରୀ କହିଛନ୍ତି । ମାତ୍ର ଘଟଣାସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗକୁ ନାକେଦନ ହେବାକୁ ପଡ଼ୁଛି । କାରଣ କୂଅ ଭିତରେ ଦୀର୍ଘ ସମୟ ହେଲା ପଡ଼ି ଯାଇଥିବା ବାରହାମାନେ ହିଂସ୍ର ହୋଇଯିବାରୁ ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହେଉଛି । ତେଣୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ କୁହାଯାଇଥିବା ବେଳେ ସେମାନେ ତାହାକୁ ଖାତିର କରୁ ନଥିବା ଦେଖିବାକୁ ମିଳିଛି ।