ଦାଦାବଟି ମାଗିବା ଓ ସୋସିଆଲ ମିଡିଆରେ ଧମକ ଦେବା ଅଭିଯୋଗରେ ଦୁଇ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ


ଯାଜପୁର: ଦୁଇ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଦାଦାବଟି ମାଗିବା ଓ ସୋସିଆଲ ମିଡ଼ିଆରେ ଧମକ ଚମକ ଦେବା ଅଭିଯୋଗରେ ପୋଲିସ ଉଠାଇ ନେଇଥିଲା । ପଚରାଉଚରା ପରେ ପୋଲିସ୍‌ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି । ଯାଜପୁର ଜିଲ୍ଲା ଧର୍ମଶାଳାରେ ଗତକାଲି ଏହି ଘଟଣା ଘଟିଛି ।

ପୋଲିସ୍‌ ଉଠାଇ ନେଇଥିବା ୨ ଯୁବକ ହେଲେ ଧର୍ମଶାଳା ଥାନା ପାଟପୁର ଗ୍ରାମର ପୂର୍ବତନ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଧଳ ଏବଂ ଚହଟା ଗାଁର ଛାତ୍ର ବିଜେଡିର କର୍ମକର୍ତ୍ତା ମାନସ ରଞ୍ଜନ ମହାନ୍ତି । ଉଭୟ ଦେଉଳି ଗ୍ରାମର ବିଶ୍ୱଜିତ ସ୍ୱାଇଁଙ୍କୁ ବଟି ମାଗିବା ସହ ସୋସିଆଲ ମିଡିଆରେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଥିଲା । ଏନେଇ ବିଶ୍ୱଜିତ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଥାନାକୁ ଉଠାଇ ଆଣି ପଚାର ଉଚରା କରିଥିଲା । ଖବର ପାଇ ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟ ଥାନାରେ ପହଞ୍ଚି ପୋଲିସ୍‌ ସହିତ ଆଲୋଚନା କରିଥିଲେ । ପରେ ପୋଲିସ ଉଭୟଙ୍କୁ ନୋଟିସ ଦେଇ ଛାଡି ଦେଇଛି । ତେବେ ପୋଲିସ ଘଟଣାର ସଠିକ ତଦନ୍ତ ନକରି ଏକତରଫା ଭାବେ ତଦନ୍ତ କରୁଛି । ପୋଲିସ ଏଭଳି କାର୍ଯ୍ୟରୁ ନିବୃତ ନ ହେଲେ ବିଜେଡି ପକ୍ଷରୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବ ବୋଲି ପୂର୍ବତନ ବିଧାୟକ ସୂଚନା ଦେଇଛନ୍ତି । ଏହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।