ରାଗ ଶୁଝାଉଛନ୍ତି ଗାଁ ଲୋକେ, ଶବକୁ ମିଳୁନି ଜାଗା


ନବରଙ୍ଗପୁର: ଧର୍ମ ପରିବର୍ତ୍ତନ ରାଗ ଶବ ଉପରେ ଶୁଝାଉଛନ୍ତି ଗାଁ ଲୋକେ । ସତ୍କାର ପାଇଁ ଶବକୁ ମିଳୁନି ଜାଗା । ବାହାରେ କୋକେଇ ବନ୍ଧା ହୋଇ ରହିଛି, ଘର ଭିତରେ ଶବ ପଡ଼ିଛି । ୨୪ ଘଣ୍ଟା ହେଲା ମୃତଦେହ ଘରେ ପଡ଼ିଥିବା ବେଳେ ବାହାରୁଛି ପଚା ଗନ୍ଧ । ପୋଲିସ୍‌, ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ତ୍ୱେ ଏହାର ସମାଧାନ ହୋଇ ପାରୁନି । ଏମିତି ଘଟଣା ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ପଣ୍ଡିକୋଟ ଗାଁରେ । ମୃତକ ହେଲେ ଡୋମୁ ଜାନୀ । ଗତକାଲି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ମୃତଦେହ ଘରେ ପଡ଼ି ରହିଛି ।

ଡୋମୁ ଜାନୀଙ୍କ ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ । ଡୋମୁ ଜାନୀ ପୂର୍ବରୁ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ତେଣୁ ମୃତଦେହ ସତ୍କାର ନିମନ୍ତେ ଗାଁ ଶ୍ମଶାନରେ ଜାଗା ଦେଉନାହାନ୍ତି । ଡୋମୁ ଙ୍କ ପତ୍ନୀ ବାରମ୍ବାର ନେହୁରା ହେଲେ ବି ସେମାନଙ୍କ ହୃଦୟ ତରଳୁନି । ଏପରିକି ନିଜ ଜାଗାରେ ସ୍ୱାମୀଙ୍କ ଶେଷକୃତ୍ୟ କରିବାକୁ ଡୋମୁଙ୍କ ପତ୍ନୀ କହିବାରୁ ଏହାକୁ ବି ମନା କରିଦେଇଛନ୍ତି ଗ୍ରାମବାସୀ ।

ଖବର ପାଇ ଗତ ରାତିରେ ପୋଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ । ମାତ୍ର ତାହା ସଫଳ ହୋଇପାରିନି । ଫଳରେ ରାତି ସାରା ମୃତଦେହ ଘରେ ପଡ଼ି ରହିଛି । ଆଜି ପୁଣି ଥରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ସମାଧାନ ପାଇଁ ଉଦ୍ୟମ କରିବ ବୋଲି ଜଣାଯାଇଛି । ପ୍ରାୟ ୨୪ ଘଣ୍ଟାରୁ ଅଧିକ ହେବ ଶବ ଘରେ ପଡିରହିଥିବା ବେଳେ ପଡ଼ୋଶୀ ରନ୍ଧାବଢ଼ା କରି ନପାରି ଅଖିଆ ଅପିଆ ପଡ଼ି ରହିଛନ୍ତି । ଏଥିସହ ଶବରୁ ଦୁର୍ଗନ୍ଧ ବାହାରୁଥିବାରୁ ତୁରନ୍ତ ସତ୍କାର ନିମନ୍ତେ ପଡ଼ୋଶୀ ଦାବି କରିଛନ୍ତି ।