ପୁରୀ: ଜମିବାଡ଼ି ବିବାଦରୁ ଚାଲିଗଲା ଦୁଇ ଜୀବନ । ଗୋଟିଏ ପକ୍ଷର ଆକ୍ରମଣରେ ଅପରପକ୍ଷର ବାପପୁଅଙ୍କର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲାରେ । ମୃତକ ହେଲେ ରବି ସ୍ୱାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁ ।
ସୂଚନା ଅନୁସାରେ, ଗତକାଲି ରାତିରେ ପେଣ୍ଠକଟା ମେରାଇନ୍ ଥାନା ସମଗରା ଗାଁରେ ରବି ଓ ତାଙ୍କ ପୋଡ଼ଶୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବଚସା ହୋଇଥିଲା । ଯାହା ପରେ ଉଗ୍ର ରୂପ ନେଇଥିଲା । ପରେ ଉଭୟ ପରିବାର ମଧ୍ୟରେ ମାରପିଟ୍ ହେବା ସହ ଛୁରା ମାଡ଼ ହୋଇଥିଲା । ଏଥିରେ ରବି ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ । ଏଥିସହ ଅପରପକ୍ଷରୁ ମଧ୍ୟ ଜଣେ ଆହତ ହୋଇଥିଲେ ।
ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ରବିଙ୍କ ମୃତ୍ୟୁ ଘଟିଛି ।
ଖବର ପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।