ଭୁବନେଶ୍ବର: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା । ଏନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା ।
ଚଳିତବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ ଚାଷୀ ।
ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଶେଷ ହେବା ଯାଏଁ ମଣ୍ଡିରେ ରହିବେ ବିଭାଗୀୟ ଅଧିକାରୀ । ୪ରୁ ୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ରହିବେ । ସବୁ ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପାଇଁ କ୍ୱାଲିଟି ଟେଷ୍ଟିଂ ମେସିନ ରହିବ । ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥାର ତଦାରଖ କରିବ ପରିବହନ ବିଭାଗ । ସେହିଭଳି ପଡ଼ୋଶୀ ରାଜ୍ୟରୁ ଯେପରି ଧାନ ଓଡ଼ିଶାକୁ ପ୍ରବେଶ ନକରେ, ସେଥିପାଇଁ ପାଟ୍ରୋଲିଂ ଟିମ ମୁତୟନ କରାଯିବ । ଚାଷୀଙ୍କ ସୁରକ୍ଷା ସହ କଟଣିଛଟଣି ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।