କୋଣାର୍କ: କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ବଜାର ନିକଟରେ ଗତ ରାତିରେ କାର ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କାର ଚାଳକ ଭାରସାମ୍ୟ ହରାଇ ଏକ ଆମ୍ବ ଗଛରେ ପିଟି ଦେଇଥିଲେ । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ଭୁବନେଶ୍ୱରର ପ୍ରଦୀପ୍ତ ବେହେରା ଓ କଟକ ଜିଲ୍ଲା କଣ୍ଟାପଡାର ବିଶ୍ୱଜିତ ସାହୁ । ଗୁରୁତର ହୋଇଥିବା ଡ୍ରାଇଭର ନିଆଳି ବ୍ଲକ ନୂଆପଟଣା ଗାଁର ତାପସ ସାହୁ ବୋଲି ଜଣାପଡ଼ିଛି ।
ଗତ ରାତିରେ ଭୁବନେଶ୍ୱରରୁ କୋଣାର୍କ ଅଭିମୁଖେ କାରଟି ଯାଉଥିଲା । ଜୁଣେଇ ବଜାର ନିକଟରେ ଭାରସାମ୍ୟ ହରାଇ କାର୍ଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇ ଯାଇଥିଲା । କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚାପି ହୋଇ ଯାଇଥିବା ବେଳେ କାର୍ ଭିତରେ ସମସ୍ତେ ଚିପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗ୍ୟାସ କଟରରେ ଦୁଇ ମୃତକ ଓ ଡ୍ରାଇଭରଙ୍କୁ ଗାଡିରୁ କାଢି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।