ଚୌଦ୍ବାର: ସ୍କୁଲରେ ପଶି ଯୁବକଙ୍କ ଆତଙ୍କ । ଛାତ୍ରଛାତ୍ରୀଙ୍କୁ ଭୟଭିତ କରିବା ସହ ଏକ କାଠ ଫାଳିଆରେ ମାଡ଼ ମାରି ପ୍ରଧାନଶିକ୍ଷକଙ୍କ ଗୋଡ଼ ଭାଙ୍ଗି ଦେଲେ । ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ବାର ବ୍ଲକ ମାଗୁରା ପଞ୍ଚାୟତ ଗଣେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟରେ । ଆହତ ପ୍ରଧାନଶିକ୍ଷକ ହେଲେ ପ୍ରଦୀପ୍ତ ସାହୁ । ଆକ୍ରମଣ କରିଥିବା ଯୁବକଙ୍କ ଘର ଅଡମ୍ୱପୁର ଗାଁରେ ହୋଇଥିବା ବେଳେ ତାଙ୍କ ମାନସିକ ଭାରସାମ୍ୟ ଠିକ୍ ନ ଥିବା ଜଣାଯାଇଛି ।
ପ୍ରଧାନଶିକ୍ଷକ କ୍ଲାସ୍ରେ ପାଠ ପଢ଼ାଇବା ବେଳେ ଯୁବକ ଜଣକ ହଠାତ୍ ଏକ କାଠ ଫାଳିଆ ଧରି ସ୍କୁଲ୍ ଗେଟରେ ପଶିଥିଲେ । ପରେ ସେ ଖରାପ ଭାଷାରେ ଗାଳିଗୁଲଜ କରି କ୍ଲାସ୍ ଭିତରକୁ ପଶିଥିଲେ । ଉକ୍ତ ଯୁବକ ଜଣକ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ପ୍ରଧାନଶିକ୍ଷକ ତାଙ୍କୁ ଅଟକାଇ ଥିଲେ ।
ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣକ ପ୍ରଧାନଶିକ୍ଷକଙ୍କ ଗୋଡ଼କୁ ଉକ୍ତ କାଠ ଫାଳିଆରେ ଖୁବ୍ ଜୋରରେ ପାହାର ପକାଇଥିଲେ । ଫଳରେ ପ୍ରଧାନଶିକ୍ଷକ ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡ଼ି ଯାଇଥିଲେ ।
ଛାତ୍ରଛାତ୍ରୀ ଗ୍ରାମବାସୀକୁ ଡାକିବାରୁ ସେମାନେ ଅଭିଯୁକ୍ତକୁ କାବୁ କରି ବାନ୍ଧି ପକାଇଥିଲେ । ଯୁବକ ଜଣକ ଜଣେ ମାନସିକ ରୋଗୀ ବୋଲି ଜାଣିବା ପରେ ଚିକିତ୍ସା ପାଇଁ ସରପଞ୍ଚ ତାଙ୍କୁ ମେଡିକାଲ ପଠାଇ ଦେଇଛନ୍ତି । ଏଥିସହ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଗୋଡ଼ ପ୍ଲାଷ୍ଟର ହୋଇଛି । ତାଙ୍କୁ ଏବେ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସେ କିନ୍ତୁ ସ୍କୁଲ ଆସି ପିଲାଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳୁଛି ।
ଏନେଇ ପ୍ରଧାନଶିକ୍ଷକ ପ୍ରଦୀପ୍ତ ସାହୁ କହିଛନ୍ତି, ୨୦୧୭ ମସିହାରୁ ଏଠାରେ ପ୍ରଧାନଶିକ୍ଷକ ଭାବେ କାମ କରୁଛି । ହେଲେ ଏହି ଘଟଣା ମୋତେ ଦୋହଲାଇ ଦେଇଛି । ଯୁବକ ଜଣଭ୍କ କାଠ ଫାଳିଆ ଧରି ସ୍କୁଲରେ ପଶି ପିଲାଙ୍କୁ ମାରପିଟ କରିବାକୁ ଚେଷ୍ଟା କରୁଥିବା ବେଳେ ଅଟକାଇ ଥିଲି। ଏଥିରେ ରାଗିଯାଇ ସେ ମୋତେ ଆକ୍ରମଣ କରିଥିଲା । ସେ କିଏ ମୁଁ ଜାଣିନି, ତା’ ନାଁରେ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି ।
ତେବେ ଉକ୍ତ ଯୁବକଙ୍କ ମୁଣ୍ଡ ଖରାପ । ଗାଁ ଲୋକେ ତାକୁ କାବୁ କରିଥିବା ବେଳେ ତାକୁ ପାଗଳ ୱାର୍ଡରେ ଭର୍ତ୍ତି କରାଯାଇଥିବା ସରପଞ୍ଚ କହିଛନ୍ତି ।