ଭୁବନେଶ୍ବର: ବାରମ୍ବାର ବିମାନ ବାତିଲକୁ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା । ଧାରଣାରେ ବସିଲେ ୬୦ରୁ ଅଧିକ ଯାତ୍ରୀ ।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ IX 2932 ଗତକାଲି ସକାଳ ୯ଟା ୫୫ ମିନିଟରେ ଥିବାବେଳେ କୌଣସି କାରଣ ପାଇଁ ବାତିଲ ହୋଇଥିଲା । ବିମାନଟି ଆଜି ସକାଳ ୮ଟା ୪୫ ମିନିଟରେ ଉଡାଣ ଭରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ସେହି ହିସାବରେ ଆଜି ସକାଳେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ । ହେଲେ ଆଜି ବି ବିମାନ ଉଡାଣ ବାତିଲ ହୋଇଯାଇଥିଲା ।
ବାରମ୍ବାର ବିମାନ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ନପାରିବାରୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଯାତ୍ରୀମାନେ ବିମାନ ବନ୍ଦରର ୬ ନମ୍ବର ଗେଟ୍ରେ ହୋହଲ୍ଲା କରିବା ସହ ଧାରଣାରେ ବସିଛନ୍ତି । ଘଟଣା ପରେ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଯାତ୍ରୀମାନଙ୍କ ସହ ଆଲୋଚନା କରିବା ପାଇଁ ପହଞ୍ଚି ନାହାନ୍ତି । ହେଲେ ଗାର୍ଡମାନେ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାଶୁଝା କରୁଥିବା ଜଣାଯାଇଛି । ଅନ୍ୟପକ୍ଷରେ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବିମାନ ସେବା ଯୋଗାଇ ଦିଆଯାଉ ବୋଲି ଅଡ଼ି ବସିଛନ୍ତି ।