Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତି ମିଶ୍ର ହତ୍ୟାକାଣ୍ଡ: ୧୧ ବର୍ଷ ପରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ, ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର

ଗଞ୍ଜାମ: ଆସିଲା ଶାନ୍ତି ମିଶ୍ର ହତ୍ୟାକାଣ୍ଡର ରାୟ । ୧୧ ବର୍ଷ ପରେ ୧୧ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ତେବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୋଷ୍ଟ ଓ୍ବାଣ୍ଟେଡ ମଉଜ ମିଶ୍ର ଏବେ ବି ଫେରାର ଅଛନ୍ତି ।

୨୦୧୩ ଜାନୁଆରୀ ୨୯ ତାରିଖ ସକାଳେ ଶାନ୍ତି ମିଶ୍ର ଗୋଶାଣୀ ନୂଆଗାଁ ଥାନାରେ ହାଜିରା ଦେଇଥିଲେ । ସେଠାରୁ ସେ ବାଇକ୍‌ରେ ଘରକୁ ଫେରିଲା ବେଳେ ଗୋଷାଣୀ ନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ଏକ ଦୋକାନରେ ଚା’ ପିଉଥିଲେ । ସେହି ସମୟରେ ରାକେଶ ପଣ୍ଡା, ଟୁକୁନା ବେହେରା, ସନ୍ତୋଷ କୁମାର ସାହୁ, ମୃତ୍ୟୁଞ୍ଜୟ ସାବତ, ସନ୍ତୋଷ ପାଣିଗ୍ରାହୀ, ବୁଡୁ ଦାସ, ଗଣେଶ ପାଣିଗ୍ରାହୀ, ଏସ. କେ ଜାଫର, ବାବାଜୀ ରଣା, ସଂକର୍ଷଣ ପାଢ଼ୀ, ମଉଜ ଏବଂ ଶଙ୍କର ବେହେରା ତାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ସେମାନେ ଶାନ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ସହିତ ବୋମା ଓ ଗୁଳି ମାଡ କରିଥିଲେ । ଫଳରେ ଘଟଣା ସ୍ଥଳରେ ଶାନ୍ତିଙ୍କ ମୃତ୍ୟୁ ଘଟିଥିଲା । ଶାନ୍ତିଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ମଉଜଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୧୧ ବର୍ଷରେ ଅର୍ଥାତ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ୨୬ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ମାମଲାର ବିଚାର କରି ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୧ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ