ତାରାତାରିଣୀ ପୀଠରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ସରକାରଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍


ଗଞ୍ଜାମ: ମାଆ ତାରାତାରିଣୀଙ୍କ ପୀଠରେ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଟିମ୍ ମାଆଙ୍କ ପୀଠରେ ପହ୍ୟ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ସୋରଡା ବିଧାୟକ, ଖଲ୍ଲିକୋଟ ବିଧାୟକ ଓ କବିସୂର୍ଯ୍ୟନଗର ବିଧାୟକ ଗ୍ରାଉଣ୍ଡ ଜିରୋକୁ ଯାଇ ସୁରକ୍ଷା ଅନୁଧ୍ୟାନ କରିଛନ୍ତି ।

ଗତ ୫ ତାରିଖ ବିଳମ୍ବିତ ରାତିରେ ମାଆଙ୍କ ମନ୍ଦିରରେ କଳାକନା ବୁଲାଇଥିଲେ ଲୁଟେରା । ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଫେରାର ହୋଇ ଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିପାରିନି । ପୁରୁଷୋତ୍ତମପୁର ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ୪ ଦିନ ପରେ ବି ଲୁଟେରାଙ୍କ ପତ୍ତା ମିଳିନି ।

ଏହି ଘଟଣା ଶ୍ରଦ୍ଧାଳୁଙ୍କ ଭାବାବେଗକୁ କୁଠାରଘାତ କରିଥିବା ବେଳେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । କେମିତି ଚୋରି ହେଲା ମାଆଙ୍କ ଅଳଙ୍କାର, ତଦନ୍ତର ଗତି କେତେ ଦୂର ଗଲା, ସେନେଇ ଅନୁଧ୍ୟାନ କରିଛନ୍ତି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସଦସ୍ୟ ପ୍ରଥମେ ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ସିସିଟିଭି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ତା’ସହ ଲୁଟେରାଙ୍କୁ ତୁରନ୍ତ ଧରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ୨୪ ବର୍ଷ ଭିତରେ କୌଣସି ଘଟଣାର ତଦନ୍ତ ତା’ ବାଟରେ ଯାଇନି । ମଠମନ୍ଦିର ଆମ ଐତିହ୍ୟ, ପରମ୍ପରାର ପ୍ରତୀକ ହୋଇଥିବା ବେଳେ ତାହାର ସୁରକ୍ଷା ପ୍ରତି ପୂର୍ବ ସରକାର ଆଖି ବୁଜି ଦେଇଥିଲେ । ଆମ ସରକାର ମଠ ମନ୍ଦିରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଲୁଟ ପରେ ମାଆ ତାରାତାରିଣୀଙ୍କର ଗତକାଲି ମହାସ୍ନାନ ହୋଇଛି । ଚୋରମାନେ ମାଆଙ୍କୁ ସ୍ପର୍ଶ କରିଥିବାରୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଛି । ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ୯୯୯ ପାହାଚ ଚଢ଼ି ସେବାୟତ ପରିବାରର ମାଆ ଓ ଭଉଣୀମାନେ ମନ୍ଦିର ଉପରକୁ ଚଢ଼ିଥିଲେ । ସେଠାରେ ମାଆଙ୍କର ମହାସ୍ନାନ କରା ଯାଇଥିଲା । ଏହାସହ ବିଭିନ୍ନ ରୀତିନୀତିରେ ମାଆଙ୍କର ପୂଜାର୍ଚ୍ଚନା କରାଯାଇଛି ।