Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକ ନା ବାଲେଶ୍ଵର କେଉଁ ଆସନରୁ ଲଢିବେ ଅଶ୍ଵିନୀ ବୈଷ୍ଣବ ? କଟିପାରେ ପ୍ରତାପ ଷଡଙ୍ଗୀଙ୍କ ଟିକେଟ୍

ବାଲେଶ୍ଵର: ଓଡ଼ିଆ ଭାଷା ସାହିତ୍ୟର ଏନ୍ତୁଡିଶାଳ କୁହାଯାଉଥିବା ବାଲେଶ୍ଵର ସଂପ୍ରତି ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ। ଜିଲ୍ଲାର ରାଜନୀତି ପାଣିପାଗ ଦର୍ଶାଇ ଦେଉଛି ଯେ, ଏଥର ମଇଦାନକୁ ଓହ୍ଲାଇବା ପାଇଁ ଅନେକ ଆଶାୟୀ ବ୍ୟାକୁଳ। କିଏ ବିଜୁ ଜନତା ଦଳ ତ ଆଉ କିଏ ଭାରତୀୟ ଜନତା ପାର୍ଟିର ଟିକେଟରେ ନିଜର ରାଜନୈତିକ ଭବିଷ୍ୟତ ଚମକାଇବା ପାଇଁ ଆଶା ବାନ୍ଧି ବସିଛନ୍ତି। ଉତ୍ତର ଓଡିଶାରେ ବାଲେଶ୍ଵର ଲୋକସଭା ଆସନର ବେଶ ଗୁରୁତ୍ଵ ରହିଛି। ତେଣୁ ଏହି ସଂସଦୀୟ କ୍ଷେତ୍ରକୁ ନେଇ ବିଜେଡି ଏବଂ ବିଜେପି ଶିବିର ତତ୍ପର ହୋଇ ଉଠିଛି। ଏହି ଆସନ ବର୍ତ୍ତମାନ ବିଜେପି କବଜାରେ ରହିଛି। ସାଂସଦ ହେଉଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ତେବେ ଏହି ସଂସଦୀୟ କ୍ଷେତ୍ରର ଗୁରୁତ୍ଵ ସେହି ସମୟଠୁ ଅଧିକ ବଢି ଯାଇଛି ଯେବେଠୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ଆସନରୁ ନିର୍ବାଚନ ଲଢି ପାରନ୍ତି। ଏହା ପୂର୍ବରୁ ସେ କଟକ ଲୋକସଭାରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଥିଲା। ବାଲେଶ୍ଵର ଲୋକସଭା ଆସନର ଇତିହାସକୁ ଦେଖିଲେ ଏଠାକାର ଜନତା ସର୍ବଦା ପରିବର୍ତ୍ତନ କରି ଆସିଛନ୍ତି। ଦେଶ ସ୍ଵାଧୀନ ପରଠୁ ଏହି ସଂସଦୀୟ କ୍ଷେତ୍ରରୁ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି, ଜନତା ଦଳ, ବିଜେପି ଏବଂ ବିଜେଡିର ପ୍ରାର୍ଥୀ ପ୍ରତିନିଧିତ୍ଵ କରି ସାରିଛନ୍ତି।

ନିଜର ଶାସନ ସମୟରେ ବିଜେଡି ମାତ୍ର ଥରୁଟିଏ ୨୦୧୪ରେ ଏହି ଆସନରେ ନିର୍ବାଚନ ଜିତି ପାରିଥିଲା। ପୂର୍ବତନ ସାଂସଦ ଚିନ୍ତାମଣି ଜେନାଙ୍କ ପୁଅ ରବୀନ୍ଦ୍ର ଜେନା ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ହରାଇଥିଲେ। ତେବେ ୨୦୧୯ ନିର୍ବାଚନରେ ପ୍ରତାପ ଷଡଙ୍ଗୀ ପ୍ରତିପକ୍ଷ ବିଜେଡି ପ୍ରତିଦ୍ଵନ୍ଦ୍ଵୀ ରବୀନ୍ଦ୍ର କୁମାର ଜେନାଙ୍କୁ ପାଖାପାଖି ୧୨ ହଜାର ଭୋଟରେ ହରାଇ ୨୦୧୪ ପରାଜୟର ମଧୁର ପ୍ରତିଶୋଧ ନେଇଥିଲେ। ଆଉ ୧୦ ବର୍ଷ ପରେ ପୁଣି ଥରେ ଏହି ସିଟ୍ ବିଜେପି କବଜାକୁ ଆସିଥିଲା। ଆଗାମୀ ନିର୍ବାଚନରେ ବାଲେଶ୍ଵର ଲୋକସଭା ସିଟକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ। ବିଜେପି ଏଠାରେ ନିଜର ବିଜୟ ଅବ୍ୟାହତ ରଖିବା ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛି। ବର୍ତ୍ତମାନ ସାଂସଦ ଥିବା ପ୍ରତାପ ଷଡଙ୍ଗୀଙ୍କ ନିଜ ଅଞ୍ଚଳରେ ଜନାଧାର କମିବାରେ ଲାଗିଛି। ନିଜର ସାଦାସିଦା ଏବଂ ସାଧାରଣ ଜୀବନ ଶୈଳୀକୁ ନେଇ ରାଜ୍ୟଠୁ ନେଇ ଜାତୀୟସ୍ତର ରାଜନୀତିରେ ଚର୍ଚ୍ଚାରେ ଥିବା ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ବାଲେଶ୍ଵରରୁ ପୁନର୍ବାର ଟିକେଟ୍ ଦେବାର ସମ୍ଭାବନା କମ ଲାଗୁଛି। ଦଳ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବର୍ତ୍ତମାନର କେନ୍ଦ୍ର ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିପାରେ ବୋଲି ବାଲେଶ୍ଵରରେ ଚର୍ଚ୍ଚା ଜୋର ଧରିଛି।

ପ୍ରଶାସନିକ ଅଧିକାରୀ ଭାବେ ଅଶ୍ଵିନୀ ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଜିଲ୍ଲାବାସୀଙ୍କ ନିକଟରେ ମଧ୍ୟ ସେ ବେଶ ଆଦୃତ ହୋଇଥିଲେ। ତାଙ୍କର ଲୋକପ୍ରିୟତାକୁ ପାଥେୟ କରି ବିଜେପି ଅଶ୍ଵିନଙ୍କୁ ବାଲେଶ୍ଵରରୁ ପ୍ରାର୍ଥୀ କରି ବିଜେଡିକୁ ମାତ୍ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଉଛି। ଯଦି ଅଶ୍ଵିନୀ ବୈଷ୍ଣବ ବାଲେଶ୍ଵର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡି ପାଇଁ ଏହା ନିଶ୍ଚିତ ରୂପେ ଚିନ୍ତାର ବିଷୟ ପାଲଟିପାରେ। କାରଣ ଅଶ୍ଵିନୀ ବୈଷ୍ଣବଙ୍କ ସ୍ଵତନ୍ତ୍ର ପରିଚୟ ରହିଛି। ଏହା ପୂର୍ବରୁ ଅଶ୍ଵିନ କଟକରୁ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ଆଉ ଏବେ ତାଙ୍କୁ ନେଇ ବାଲେଶ୍ଵରରେ ଚର୍ଚ୍ଚା ଜୋର ଧରିଛି। କାରଣ ସେ ବାଲେଶ୍ଵର ଏବଂ କଟକ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ଵ ସମ୍ଭାଳିଥିଲେ। ତେଣୁ ସେ କଟକ କି ବାଲେଶ୍ଵର ଆସନରୁ ନିର୍ବାଚନ ଲଢି ପ୍ରତ୍ୟେକ୍ଷ ରାଜନୀତିକୁ ପ୍ରବେଶ କରୁଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ।

ରାଜସ୍ଥାନ ଜନ୍ମିତ ତଥା ୧୯୯୪ ମସିହା ଓଡିଶା କ୍ୟାଡରର ଆଇଏଏସ ଅଫିସର ଅଶ୍ଵିନୀ ବୈଷ୍ଣବ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ବାଲେଶ୍ଵର ଏବଂ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଛନ୍ତି। ୧୯୯୯ ମହାବାତ୍ୟାର ମୁକାବିଲାରେ ତାଙ୍କର ଅବଦାନ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା। ଓଡିଶା ବିଷୟରେ ତାଙ୍କର ବିଶେଷ ଅଭିଜ୍ଞତା ମଧ୍ୟ ରହିଛି। ଓଡିଶାରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଶାସନିକ ଅଧିକାରୀରୁ କର୍ପୋରେଟ୍ ଜଗତରେ ପାଦ ଦେଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଅଶ୍ଵିନ ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କର ଦକ୍ଷତା ଏବଂ ସାମର୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ରେଳ ମନ୍ତ୍ରଣାଳୟ, ବୈଦ୍ୟୁତକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ପରି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ଵ ଦେଇଛି।

ବାଲେଶ୍ଵର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବା ପାଇଁ ବିଜେପି ତରଫରୁ ପ୍ରାର୍ଥୀ ଦୌଡରେ ପ୍ରତାପ ଷଡଙ୍ଗୀ ଏବଂ ଅଶ୍ଵିନୀ ବୈଷ୍ଣବଙ୍କ ବ୍ୟତୀତ ଏହି ଆସନରୁ ତିନି ଥର ନିର୍ବାଚନ ଜିତିଥିବା ବରିଷ୍ଠ ନେତା ଖାରବେଳ ସ୍ଵାଇଁ ମଧ୍ୟ ଅଛନ୍ତି। ତାଙ୍କର ମଧ୍ୟ ବାଲେଶ୍ଵର ଆସନରେ ବେଶ ଅନୁଭବ ଏବଂ ଅଭିଜ୍ଞତା ରହିଛି। ଯଦି ବିଜେପି ଏହି ଆସନରୁ ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଏ ତେବେ ବାଲେଶ୍ଵର କେବଳ ରାଜ୍ୟରେ ନୁହେଁ ଜାତୀୟସ୍ତର ରାଜନୀତିର ଫୋକସରେ ରହିବ। କେବଳ ସେତିକି ନୁହେଁ ପ୍ରତାପ ଷଡଙ୍ଗୀଙ୍କ ରାଜନୈତିକ ଭବିଷ୍ୟତରେ ପୂର୍ଣ୍ଣଛେଦ ପଡିବ ନା ବିଜେପି ତାଙ୍କୁ ଏହି ଆସନରୁ ପୁନର୍ବାର ପ୍ରାର୍ଥୀ କରିବ ତାହା ଦେଖିବା ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories