ନର୍ସଙ୍କ ପାଇଁ ନୂଆ ଡ୍ରେସ କୋଡ, ରହିବ ସମ୍ବଲପୁରୀ ଛିଟା


ଭୁବନେଶ୍ବର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନର୍ସଙ୍କ ଡ୍ରେସ କୋଡ୍ ବଦଳିଲା । ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ । ଏଥିରେ ରହିବ ସମ୍ବଲପୁରୀ ଛିଟା । ଲାଭେନଣ୍ଡର୍ ବା ହାଲୁକା ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ ନର୍ସମାନେ । ଉଭୟ ପୁରୁଷ ଓ ମହିଳା ନର୍ସମାନେ ଈଷତ୍ ବାଇଗଣୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ପିନ୍ଧିବେ ।

ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟମାନେ ସାଇନ ବ୍ଲୁ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବେ । ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଶାଢ଼ୀ ଓ ଡ୍ରେସ୍ ପିନ୍ଧିବେ । ସେଥିରେ ଥିବା ଆର୍ପନର କଲରରେ ସମ୍ବଲପୁରୀ ଛିଟ ରହିବ ।

ସେହିପରି ପୁରୁଷ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଜାକେଟର କଲରରେ ରହିବ ସମ୍ବଲପୁରୀ ଛିଟ । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି ।

ରାଜ୍ୟ ନର୍ସିଂ ମହାସଂଘ ସମ୍ପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି, ଡ୍ରେସ କୋଡ୍ ପରିବର୍ତ୍ତନ କରିଥିବାରୁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ । ଆମେ ଯେଉଁ ୧୦ ଦଫା ଦାବି ସରକାରଙ୍କ ନିକଟରେ ରଖିଥିଲୁ, ଏହା ମଧ୍ୟ ଏକ ପ୍ରମୁଖ ଦାବି ଥିଲା । ସରକାର ଆଜି ଏହାକୁ ପୂରଣ କରିଛନ୍ତି । ଓଡ଼ିଶାରେ ୧୫ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ । ସରକାର ଆମର ଏହି ଦାବି ପୂରଣ କରିଥିବା ବେଳେ ଅନ୍ୟ ନାର୍ଯ୍ୟ ଦାବିଗୁଡ଼ିକ ମଧ୍ୟ ପୂରଣ କରିବେ ବୋଲି ଆମେ ଭାବୁଛୁ । ସରକାର ଆମ ସହ ଆଲୋଚନା କରିବା ପରେ ଏହି ଡ୍ରେସ କୋଡ୍‌ କରିଛନ୍ତି ।