ଭୁବନେଶ୍ବର: ନିଶା ଛାଡାଇବାକୁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ଗୋଟିଏ ରାତି କେନ୍ଦ୍ରରେ ରହିଛନ୍ତି, ହୋଇଗଲା ମୃତ୍ୟୁ । ସେଠାରେ ନିଶା ଛଡ଼ାଇବା ନାଁରେ ଏମିତି ମାଡ଼ ମରାଗଲା ଯେ ଚାଲିଗଲା ଯୁବକଙ୍କ ଜୀବନ । ଏମିତି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଥାନା ଅଞ୍ଚଳରେ । ମୃତ ଯୁବକ ଜଣଙ୍କ ହେଲେ ସୁମନ୍ତ ପଣ୍ଡା । ତାଙ୍କ ବୟସ ୩୬ ।
ଗତକାଲି ସନ୍ଧ୍ୟାରେ ସୁମନ୍ତଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ୪ଟା ସମୟରେ ନିଶା ନିବାରଣର କର୍ମଚାରୀମାନେ ସୁମନ୍ତଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ରଖି ପଳାଇ ଯାଇଥିଲେ । ସୁମନ୍ତଙ୍କର ମୃତ୍ୟୁ ଘଟିଥିବା ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ମେଡିକାଲରେ ପହଞ୍ଚି ସୁମନ୍ତଙ୍କ ମୃତଦେହ ବେଡରେ ପଡ଼ିଥିବା ଦେଖିଥିଲେ । ହେଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ ।
ସୁମନ୍ତଙ୍କ ଶୀରରରେ ବିଭିନ୍ନ ସ୍ଥାନରେ କ୍ଷିତ ଚିହ୍ନ ରହିଥିଲା । ସୁମନ୍ତଙ୍କୁ ପିଟିପିଟି ହତ୍ୟା କରଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।