ଭୁବନେଶ୍ବର: ପୂର୍ବ ଶତ୍ରୁତାରୁ ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ବର । ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଛୁରୀ ଓ ସର୍ଜିକାଲ ବ୍ଲେଡ଼ରେ ହାଣି ଖଣ୍ଡିଆ ଖାବରା ବି କରିଦେଲେ । ଏଭଳି ଘଟଣା ଘଟିଛି ରାଜଧାନୀର ବଡଗଡ଼ ଅଞ୍ଚଳରେ । ଆହତ ଯୁବକ ଜଣଙ୍କ ହେଉଛନ୍ତି ବଡଗଡ଼ ଗାଁର ଦୀପକ ପ୍ରଧାନ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦୀପକ ନିଜ ଘରକୁ ବାଇକ୍ ଯୋଗେ ଫେରୁଥିଲେ । ଏହି ସମୟରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ତାଙ୍କ ବାଇକକୁ ଗୋଇଠା ମାରିଥିଲେ । ଭାରସାମ୍ୟ ହରାଇ ଦୀପକ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ଛୁରୀ ଓ ସର୍ଜିକାଲ ବ୍ଲେଡ଼ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ । ଦୀପକ ଜୀବନ ବିକାଳେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ନଥିଲେ । ରାଜଧାନୀ ରାଜରାସ୍ତାରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ।
ଦୀପକ ରକ୍ତ ଜଡୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ସମୟରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଆଖପାଖ ସିସିଟିଭି ଯାଞ୍ଚ କରୁଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି । ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରଯାଉଛି ।