ଅପରାଧ ଘଟାଇ ଆଉ ଖସି ପାରିବେନି ଅପରାଧୀ, ଗୋଡ଼ାଇ ଗୋଡ଼ାଇ ଧରିବ ପୋଲିସ


ଭୁବନେଶ୍ବର: ଅପରାଧୀଙ୍କ ଚରାଭୂଇଁ ପାଲଟି ଥିବା ରାଜଧାନୀ ଭୁବନେଶ୍ବରରେ ଆଉ ନାହିଁ ଅପରାଧୀଙ୍କ ସ୍ଥାନ । ଏଣିକି ଅପରାଧ ଘଟାଇ ଖସି ଯାଇପାରିବେନି ଅପରାଧୀ । ଖସି ଯିବାକୁ ଚେଷ୍ଟା କଲେ ଗୋଡ଼ାଇ ଗୋଡ଼ାଇ ଧରିବ ପୋଲିସ । ଅପରାଧିଙ୍କୁ ଏପରି ଭାବେ କଡ଼ା ଚେତାବନୀ ଦେଇଛନ୍ତି ପୋଲିସ୍‌ କମିଶନର ସୁରେଶ ଦେବଦତ୍ତ ସିଂହ ।

ଗତ ରାତିରେ ରାଜଧାନୀ ରାଜରାସ୍ତାରେ କନଭଏ ପାଟ୍ରୋଲିଂ କରିଥିଲା କମିଶନରେଟ ପୋଲିସ୍‌ । କମିଶନରଙ୍କ ସହ ଅତିରିକ୍ତ କମିଶନର, ଡିସିପି, ସମସ୍ତ ଏସିପି ଓ ଥାନା ଅଧିକାରୀ ବି ଏଥିରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂ ସହ ଚାଲିଥିଲା କଡ଼ାକଡ଼ି ଯାଞ୍ଚ ।

ପୂର୍ବରୁ କମିଶନରେଟ ପୋଲିସ୍‌ର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ, ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ତଥା ଖାଲି ଚେକିଂ ଚାଲୁଥିବା ବେଳେ ଏବେ ଆରମ୍ଭ ହୋଇଛି କନଭଏ ପାଟ୍ରୋଲିଂ । ବିଭିନ୍ନ ଥାନା ସହ ସଂଯୋଗ ରଖି ସଙ୍ଗଠିତ ଭାବେ ଆରମ୍ଭ ହୋଇଛି ଏହି ବଡ଼ ଧରଣର ଚେକିଂ । ଏହାଦ୍ୱାରା ରାଜଧାନୀକୁ ଅପରାଧମୁକ୍ତ କରି ହେବ ବୋଲି କହିଛି କମିଶନରେଟ ପୋଲିସ୍‌ ।

ଏନେଇ ପୋଲିସ୍‌ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ପୋଲିସ୍ ସବୁବେଳେ ସଜାଗ ରହିଛି । ୟୁନିଫର୍ମ ହେଉ ବା ବିନା ୟୁନିଫର୍ମରେ ପୋଲିସ୍ ପାଟ୍ରୋଲିଂ କରୁଛି । ବେଳେ ବେଳେ ବିଭିନ୍ନ ଥାନା ସହ ସଂଯୋଗ ରଖାଯାଇ ଏପରି ବଡ଼ ଧରଣର ବ୍ଲକିଂ ଓ ଚେକିଂ କରାଯାଉଛି । ଆଗକୁ ନିୟମିତ ବ୍ୟବଧାନରେ ଏପରି କରାଯିବ ।

ଏଥିସହ ରାଜଧାନୀରେ ଅପରାଧକୁ ପ୍ରଶୟ ଦିଆଯିବନି କି କୌଣସି ଅପରାଧିଙ୍କୁ ହାଲକା ଭାବେ ନିଆଯିବନି । ଯେକୌଣସି ଅପରାଧ କଲେ ଗୋଡ଼ାଇ ଗୋଡ଼ାଇ ବାନ୍ଧିବୁ ବୋଲି କହିଛନ୍ତି ପୋଲିସ୍‌ କମିଶନର । ଏଥିସହ ଡିସିପି ପିନାକ ମିଶ୍ର କହିଛନ୍ତି ରାଜଧାନୀରେ ସୁସ୍ଥ ଓ ସୁରକ୍ଷିତ ବାତାବରଣ ପାଇଁ ଆମେ ଏପରି ପଦକ୍ଷେପ ନେଉଛୁ । ରୀତିମତ ଭାବେ ଏପରି କନଭଏ ପାଟ୍ରୋଲିଂ କରାଯିବ । ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ, ବିଶୃଙ୍ଖଳାକୁ ବନ୍ଦ କରିବା ତଥା ରାଜଧାନୀବାସୀଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇ ଦେବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଓ ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣାଯିବ । ଏବେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବୁ ବୋଲି କହିଛନ୍ତି ଡିସିପି ।