ଶ୍ରୀକ୍ଷେତ୍ରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ


ପୁରୀ: ଆଜି ପଞ୍ଚୁକର ତୃତୀୟ ଦିନ । ପୁରୀ ଶ୍ରୀମନ୍ଦିରରେ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସକାଳେ ଅବକାଶ ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କୁ ଏହି ବେଶରେ ବିଭୂଷିତ କରାଯାଇଥିଲା ।

ପୁଷ୍କାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥିଲେ । ଆଡ଼କିଆ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇଛି । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଛି ।

ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କର ପୁରୀରେ ସମାଗମ ହୋଇଛି । ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଛି ପୁରୀ ବଡଦାଣ୍ଡ । ବେଶ ଦର୍ଶନ ପାଇଁ ଲମ୍ବା ଲାଇନରେ ଭକ୍ତମାନେ ଦର୍ଶନ କରୁଛନ୍ତି ।

ଗତକାଲି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଇଥିଲେ କଳାଠାକୁର । ବିଶ୍ୱାସ ରହିଛି ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏଇ ପଞ୍ଚୁକ ଯାତ୍ରା । ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ।