ବିଜେପି ବିଧାୟକଙ୍କୁ ଆକ୍ରମଣ ଘଟଣା, ଥାନାରେ ଫୋର୍ସ ମୁତୟନ


ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ହିମାଂଶୁ ସାହୁଙ୍କୁ ଗତରାତିରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଘଟଣାର ତଦନ୍ତ ପାଇଁ ପୋଲିସ ୩ଟି ଟିମ୍ ଗଠନ କରିଥିବା ବେଳେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଉତ୍ତଜେନାକୁ ଦୃଷ୍ଟିରେ ରଖି ଯାଜପୁର ଟାଉନ ଥାନାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଘଟଣା ପରେ ଧର୍ମଶାଳାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଖୋଜୁଛି ।

ଗତକାଲି ରାତିରେ ଯାଜପୁରରେ ପହଞ୍ଚିଛନ୍ତି ଏଡିଜି ଲ’ ଆଣ୍ଡ ଅର୍ଡର ସଂଜୟ କୁମାର । ଯାଜପୁର ସଦର ଥାନା ଓ ଟାଉନ ଥାନା ଅନ୍ତର୍ଗତ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ପୋଲିସର କଡ଼ା ନଜର ରହିଛି ।

ହିମାଂଶୁଙ୍କୁ ଯାଜପୁର ବୁଢାଘାଟ ଛକରେ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଗତକାଲି ଅଭିଯୋଗ ହୋଇଛି । ତାଙ୍କୁ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ହିମାଂଶୁ । ସେ କହିଛନ୍ତି, ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ । ଯାହା ହେଲା ହେଲା, କଂପ୍ରୋମାଇଜ୍ କରିଦିଅ ବୋଲି କହିଥିଲେ ।

ତେବେ ବିଜେଡି ହିଂସାକୁ ପ୍ରଶୟ ଦିଏ ନାହିଁ ଓ ଏହି ଘଟଣାକୁ ସେ ନିନ୍ଦା କରୁଥିବା କହିଛନ୍ତି ବବି ଦାସ । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରଶାସନକୁ କହିଛନ୍ତି । ଏହାସହ ତାଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ବବି ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ବବି କହିଛନ୍ତି, ଥାନାରେ ଯାଇ ବସିବାକୁ ଭାଇକୁ କହିଥିଲି । ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।