ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ୧୫ ବର୍ଷ ହେଲା ଅପରାଧର ସାମ୍ରାଜ୍ୟ ବିସ୍ତାର କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକକୁ ହତ୍ୟା । ଗତ ରାତିରେ ଶେରଗଡ଼ ଥାନା ଅଞ୍ଚଳରେ କିଛି ଯୁବକ ଅନନ୍ତକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଞ୍ଜାମର ବିଭିନ୍ନ ଥାନାରେ ତା’ ନାଁରେ ୨୫ରୁ ଅଧିକ ଅପରାଧିକ ମାମଲା ରହିଛି । ଏଥିସହ ଜିଲ୍ଲାର ୧୦ଟି ଥାନା ତାକୁ ଖୋଜିବାରେ ବିଫଳ ହୋଇଥିଲା । ପୋଲିସ୍କୁ ଚକମା ଦେଇ ରାତିର ଅନ୍ଧକାରରେ ସେ ନିଜ କ୍ରାଇମ ନେଟୱର୍କକୁ ଚଳାଉଥିଲେ ।
ଅନନ୍ତର ଘର ଆସିକା କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ବୋଲି ଜଣାଯାଇଛି । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି ।
ଅନନ୍ତ ସମେତ ୩ ଜଣ ଗତରାତିରେ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ପଛରୁ ଏକ ବୋଲେରୋ ତାଙ୍କ ପିଛା କରିଥିଲା । କିଛି ସମୟ ପରେ ବୋଲୋରୋଟି ବାଇକ୍ ଆଗରେ ଛିଡ଼ା ହୋଇଥିଲା । ବାଇକ୍ଟି ରହିଯିବାରୁ ବୋଲେରୋରୁ କିଛି ଯୁବକ ଓହ୍ଲାଇ ଅନନ୍ତକୁ ରାସ୍ତାକୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ ।
ଏପରିକି ଅନନ୍ତ ପିନ୍ଧିଥିବା ହେଲମେଟକୁ ସେମାନେ ପ୍ରବଳ ମାଡ଼ ମାରିବାରୁ ତାହା ଭାଙ୍ଗି ଚୁରମାର ହୋଇ ଯାଇଛି । ଶେଷରେ ସେମାନେ ଅନନ୍ତକୁ ଘୋଷାଡି ନେଇ ପ୍ରବଳ ପିଟିଥିଲେ । ଫଳରେ ତା’ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆଉ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଅନନ୍ତର ମୃତ୍ୟୁ ଘଟିଥିଲା ।
ଏହାଦେଖି ଅନନ୍ତ ସହ ବାଇକ୍ରେ ଥିବା ଦୁଇ ଯୁବକ ନିଜ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଶେରଗଡ଼ ମେଡିକାଲକୁ ବ୍ୟବଚ୍ଛ୍ରେଦ ପାଇଁ ପଠାଇ ଅନନ୍ତର ଘର ଲୋକଙ୍କୁ ଖବର ଦେଇଥିଲା । ପୋଲିସ ଅନନ୍ତ ସହ ଥିବା ଦୁଇ ଜଣକୁ ଅଟକ ରଖି ଘଟଣା ବିଷୟରେ ଅଧିକ ଖୋଳତାଡ଼ କରୁଛି ।
ସୂଚନା ଥାଉ କି ଅନନ୍ତ ବିରୋଧରେ ଜାତୀୟ ନିରାପତ୍ତା ଆଇନି ଲାଗୁ ହୋଇଥିଲା । ହତ୍ୟା, ହତ୍ୟା ଉଦ୍ୟମ, ବୋମାମାଡ଼, ଚୋରି ରାହଜାନି, ଡକାୟତି ସହ ଆର୍ମ ଆକ୍ଟ ଲାଗିଛି l ଦୀର୍ଘଦିନ ହେଲା ଜିଲ୍ଲାର ୧୦ଟି ଥାନା ଅନନ୍ତଙ୍କୁ ଖୋଜିବାରେ ବିଫଳ ହୋଇଥିବା ବେଳେ ପୋଲିସକୁ ଚକମା ଦେବାରେ ସେ ସଫଳ ହେଉଥିଲେ ।