ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ, ରୋଗୀ ମୃତ, ୩ ସମ୍ପର୍କୀୟ ଆହତ


ଯାଜପୁର: ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡମ୍ଫରକୁ ପିଟିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ଏନଏଚ ୧୬ ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ‌ଆସୁଥିଲା । ଏନଏଚ୍‌ ୧୬ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଏକ ଡମ୍ଫର ଛିଡ଼ା ହୋଇଥିଲା । ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଡମ୍ଫରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଥିବା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ୩ ଜଣ ଗୁରୁତର ଆହତ ହୋଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।