Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦିଦିଙ୍କ ଆଳୁ ପଲିଟିକ୍ସ: ପଶ୍ଚିମବଙ୍ଗରେ ପଚୁଛି, ଓଡ଼ିଶାରେ ମିଳୁନି

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଳୁ ରାଜନୀତି । ପର୍ଯ୍ୟାପ୍ତ ଆଳୁ ମହଜୁଦ ଥାଇ ବି ଓଡ଼ିଶାକୁ ରପ୍ତନୀ ବନ୍ଦ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ନିଜ ରାଜ୍ୟର ଶୀତଳଭଣ୍ଡାରରେ ମହଜୁଦ ଥିବା ଆଳୁ ନଷ୍ଟ ହେବାକୁ ବସିଲାଣି, ହେଲେ ଓଡ଼ିଶା ସୀମାରେ ଅଟକାଇ ରଖିଛନ୍ତି ଶହ ଶହ ଆଳୁ ବୋଝେଇ ଟ୍ରକ୍‌ । ମମତାଙ୍କ ଏପରି ଅଜବ ନିଷ୍ପତ୍ତି ଯୋଗୁଁ ଖପ୍ପା ହୋଇଛନ୍ତି ତାଙ୍କ ରାଜ୍ୟର ବ୍ୟବସାୟୀ । ଏଥିଯୋଗୁଁ ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଥିବାରୁ ଦେଇଛନ୍ତି ଧର୍ମଘଟ ଡାକରା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଳୁ କଟକଣା ଉପରେ ଖପ୍ପା ହୋଇଛନ୍ତି ଖୋଦ୍ ପଶ୍ଚିମବଙ୍ଗ ବ୍ୟବସାୟୀ । ପ୍ରତିବାଦରେ ଆସନ୍ତା ମଙ୍ଗଳବାରଠୁ ଧର୍ମଘଟ ଡାକରା ଦେଇଛନ୍ତି । ଶୀତଳ ଭଣ୍ଡାର ମାଲିକ, ହୋଲସେଲ ବ୍ୟବସାୟୀ ଓ ବିଭିନ୍ନ ସଂଗଠନର ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ସଂଘର ଅଭିଯୋଗ ଅନୁସାରେ, ପଶ୍ଚିମବଙ୍ଗରୁ ବାହାର ରାଜ୍ୟକୁ ଆଳୁ ପଠାଇବାକୁ ସରକାର ଅନୁମତି ଦେଉନାହାନ୍ତି । ଯାହାଫଳରେ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି । ଏବେ ଶୀତଳ ଭଣ୍ଡାରରେ ପ୍ରାୟ ୭ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଗଚ୍ଛିତ ଅଛି । ପଶ୍ଚିମବଙ୍ଗର ଆବଶ୍ୟକତା ହେଉଛି ୫ ଲକ୍ଷ ମେଟ୍ରିକ୍ ଟନ ।

ଶୀତଳଭଣ୍ଡାରରୁ ଗତ ୩୦ ତାରିଖ ମଧ୍ୟରେ ଆଳୁ କାଢିବାର ଥିଲା । ମାତ୍ର ଅନ୍ୟ ରାଜ୍ୟକୁ ଆଳୁ ଯାଉ ନଥିବାରୁ ତାହା କଢ଼ା ହୋଇ ପାରୁ ନଥିବା ବେଳେ ନଷ୍ଟ ହେବାର ଆଶଙ୍କା ରହିଛି । ଏଣୁ ଅବଶିଷ୍ଟ ଆଳୁ କ’ଣ ହେବ ବୋଲି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି । ତେବେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଫଳରେ ଓଡ଼ିଶାରେ ବି ଆଳୁ ସଂକଟ ଆହୁରି ବଢିପାରେ । ସାଧାରଣ ଲୋକ ସମସ୍ୟା ଭୋଗିପାରନ୍ତି ।

ଗତ ୩ ଦିନ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁ ନାହାନ୍ତି । ଫଳରେ ଓଡ଼ିଶାରେ ଆଳୁ ଦର ବଢ଼ି ଚାଲିଥିବା ବେଳେ ହଇରାଣ ହେଉଛନ୍ତି ସାଧାରଣ ଖାଉଟି ।

ଗତ ୩ ଦିନ ହେଲାଣି ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି । ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ ଦର ବି ଉପରମୁହାଁ ହେଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ ।  ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସବୁ ନାକା ଯାଞ୍ଚ କରାଯାଉଥିବାବେଳେ ଶତାଧିକ ଆଳୁ ଭର୍ତ୍ତି ଟ୍ରକ୍ ବେଲଦା, ଦାନ୍ତୁନ, ସୋନାକୋଣିଆ ନାକାରେ ଅଟକି ରହିଛି । ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏଁ ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ ଚାଲିଛି କଡ଼ା ପାଟ୍ରୋଲିଂ । ଯାହାର ସିଧା ପ୍ରଭାବ ପଡ଼ିଛି, ଆମ ରାଜ୍ୟର ହାଟ ବଜାରରେ । ଆଳୁ ଦର ଏବେ କେଜି ପ୍ରତି ପ୍ରାୟ ୫୦ ଟଙ୍କାରେ ବିକ୍ରି ହେଉଛି । ଏହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ ।