ସରକାରୀ କ୍ବାର୍ଟର୍ସରେ ରଶି ଲଗାଇ ଝୁଲି ପଡ଼ିଲେ କର୍ମଚାରୀ


କନ୍ଧମାଳ: ଫୁଲବାଣୀ କୃଷି ଉଦ୍ୟାନ ବିଭାଗ ସରକାରୀ ବାସଭବନରେ ବେକରେ ରଶି ଲଗାଇ ଝୁଲି ପଡ଼ିଲେ କର୍ମଚାରୀ । ମୃତକ ହେଲେ କୃଷି ଉଦ୍ୟାନ ବିଭାଗ କର୍ମଚାରୀ ବିଜୟ କୁମାର ନାୟକ । ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ ‌କରିଛି । ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକେ । ମୃତକଙ୍କ ପୁଅ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ମୃତକ ବିଜୟ କୁମାର ନାୟକ ନିଜ ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହ ପୁଅ ପାଖକୁ ଅନ୍ ଲାଇନରେ ଦୁଇ ହଜାର ଟଙ୍କା ପଠାଇଥିଲେ । ଏଥିସହିତ ସେ ରାତିରେ ବସରେ ଭୁବନେଶ୍ୱର ଯିବେ ଓ ସେଠାରୁ ଭଦ୍ରକ ନିଜ ଗାଁକୁ ଯିବେ ବୋଲି ସ୍ତ୍ରୀଙ୍କୁ କହିଥିଲେ । କିନ୍ତୁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସ ଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ । ଆଜି ପରିବାର ଲୋକେ ଫୁଲବାଣୀ ପହଁଚିବା ପରେ ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଚଳାଇଛି ଟାଉନ୍ ପୋଲିସ୍ ।