ରାଷ୍ଟ୍ରପତିଙ୍କ ଗସ୍ତ ଓ ନୌସେନ ଦିବସ ପାଇଁ ପୁରୀରେ ଟ୍ରାଫକ କଟକଣା, ଜାଣନ୍ତୁ କେଉଁ ରୁଟରେ ଯିବେ


ପୁରୀ: ଆଜି ପୁରୀ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହେଉଛି ନୌସେନା ଦିବସ । ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ପୁରୀରେ ଟ୍ରାଫିକ୍‌ କଟକଣା କରାଯାଇଛି । ଏଥିସହ ନୌସେନା ଦିବସ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରିଛି ପୁରୀ ପୋଲିସ ।

ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ମାଳତୀ ପାଟପୁର ଦେଇ ତାଳବଣିଆରେ ପାର୍କିଂ କରିବେ । ଦୁଇ ଚକିଆ ଯାନ ବାଟଗାଁଠାରୁ ବାଇପାସରେ ଆସି ହୋଟେଲ ଷ୍ଟଲିଂ ନିକଟରେ କରିବେ ପାର୍କିଂ । ସେହିଭଳି କୋଣାର୍କ ପଟରୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ତାଳ ବଣିଆରେ ରହିବେ । ବ୍ରହ୍ମଗିରି ପଟରୁ ଆସିଲେ ଷ୍ଟ୍ରଲି ନିକଟରେ ପାର୍କିଂ କରିବେ ।

ପାସଧାରୀମାନେ ଜେଲ ରୋଡ ଓ ଶରଧାବାଲିରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି । ବ୍ଲୁ ଫ୍ଲାଗ ବିଚ୍ ପାଇଁ ପାସ ପାଇଥିବା ଗାଡି ହୋଟେଲ ନୀଳାଚଳ ଅଶୋକ, ଏସସିଏସ କଲେଜଠାରେ ପାର୍କିଂ କରିପାରିବେ । ପୁରୀ ପୋଲିସ ପକ୍ଷରୁ ସାଇନେଜ୍ ଗୁଡ଼ିକ ପ୍ରତି ଛକରେ ଲଗାଯାଇଛି ।

ପୋଲିସର ନିର୍ଦ୍ଦେଶାନାମାକୁ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି । ତେଣେ ଆଜି ପାଇଁ ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକାରେ ଥିବା ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ଏଥିସହ ସହର ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ । ତେବେ NCERT ଦ୍ୱାରା ପରିଚାଳିତ PARAKH ପରୀକ୍ଷା ହେବ । ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଥିବାରୁ ଏହି ପରୀକ୍ଷାକୁ କରାଯିବ । ପରୀକ୍ଷାର୍ଥୀମାନେ ସକାଳ ୭ଟାରୁ ୧୨ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ।