ସରକାରୀ ଜାଗାରେ ଦୋକାନ କରିବାକୁ ନେଇ ଆକ୍ରମଣ: ବାପା ମୃତ, ପୁଅ ଗୁରୁତର


ଢେଙ୍କାନାଳ: ଦୋକାନ କରିବାକୁ ନେଇ ଆକ୍ରମଣ । ତାହା ପୁଣି ସରକାରୀ ଜାଗାରେ । ସଂଘବଦ୍ଧ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ବ୍ୟକ୍ତି ହେଲେ ଚତୁର୍ଭୁଜ ଜେନା ଓ ଗୁରୁତରଙ୍କ ନାଁ ହେଲା ୧୮ ବର୍ଷୀୟ ଓମ୍ ପ୍ରକାଶ ଜେନା । ଘଟଣା ଢେଙ୍କାନାଳ ସଦର ଥାନା କୃଷ୍ଣପ୍ରସାଦ ଗାଁରେ ଘଟିଛି ।

୪ ମାସ ପୂର୍ବରୁ ଚତୁର୍ଭୁଜ ସରକାରୀ ଜାଗାରେ କୁକୁଡ଼ା ଦୋକାନ କରିବା ପାଇଁ ଖୁଣ୍ଟ ପୋତୁ ଥିଲେ । ଏହାକୁ ଗାଁର କିଛି ଲୋକ ବିରୋଧ କରିଥିଲେ । ଫଳରେ ଚତୁର୍ଭୁଜ ସେଠାରେ ଆଉ ଦୋକାନ କରି ନଥିଲେ । ଗତକାଲି ସେହି ଜାଗାରେ ଗାଁର କିଛି ଯୁବକ ଦୋକାନ ଘର ତିଆରି କରୁଥିଲେ । ଚତୁର୍ଭୁଜ ଏହାକୁ ବାରଣ କରିଥିଲେ । ମୋତେ ଦୋକାନ କରିବାକୁ ବାରଣ କରିଥିଲ, ହେଲେ ତୁମମାନେ କାହିଁକି ଏଠାରେ ଦୋକାନ ଘର କରୁଛ ବୋଲି ଚତୁର୍ଭୁଜ ଯୁବକମାନଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଯୁବକମାନେ ଚତୁର୍ଭୁଜଙ୍କୁ ଆକ୍ରମଣ କରିଥିଲେ । ଓମ୍ ବାପାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାକୁ ତାଙ୍କୁ ଧାରୁଆ ଅସ୍ତ୍ରରେ ମଧ୍ୟ ତାଙ୍କୁ ଆକ୍ରମଣ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଚତୁର୍ଭୁଜ ଓ ଓମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚତୁର୍ଭୁଜଙ୍କ ମୃତ୍ୟୁ ଘଟିଥିବା ବେଳେ ଓମଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।