ଫୁଲବାଣୀ: ଟ୍ରକରେ ଚାଉଳ ବୋଝେଇ ହୋଇଛି । ଯାଉଥିଲା ଛତିଶଗଡ଼ର ରାୟପୁର । ହେଲେ ଗୁଗଲ ମ୍ୟାପକୁ ଭରଷା କରି ଫସିଗଲେ ଟ୍ରକ ଡ୍ରାଇଭର । ରାୟପୁର ଯିବା ବଦଳରେ ଚାଲି ଆସିଲେ କନ୍ଧମାଳ । ଆଉ ତିନିଦିନି ହେବ କନ୍ଧମାଳ ଜିଲ୍ଲା ଗାଜଲବାଡ଼ି ଘାଟିରେ ଫସି ରହିଛି ।
ସୂଚନା ଅନୁସାରେ, ଏକ ଚାଉଳ ବୋଝେଇ ଟ୍ରକ୍ ବିଶାଖାପାଟଣାରୁ ବାହାରି ଛତିଶଗଡ଼ର ରାୟପୁରକୁ ଯାଉଥିଲା । ଟ୍ରକ୍ ଡ୍ରାଇଭର ଗୁଗଲ ମ୍ୟାପ୍ ଦେଖି ସର୍ଟକଟ ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲେ । ଟ୍ରକଟି ରାୟପୁର ଯିବାକୁ ଥିବା ବେଳେ କନ୍ଧମାଳ-ଗଂଜାମ ସୀମାନ୍ତ ଗାଜଲବାଡ଼ି ଘାଟିର ଅଣ ଓସାରିଆରେ ପହଞ୍ଚି ଯାଇଥିଲା ।
ତେବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରକ୍ ଡ୍ରାଇଭର ଓ ହେଲପର । ୩ ଦିନ ହେଲା ଟ୍ରକଟି ସେହି ଅଣ ଅସାରିଆ ରାସ୍ତାରେ ଫଶି ରହିଛି । ଫଳରେ ସେହି ରାସ୍ତା ଦେଇ ଅନ୍ୟ ଗାଡ଼ି ଗୁଡ଼ିକ ଯିବା ପାଇଁ ଅସୁବିଧା ହେଉଛି । ଅନ୍ୟପକ୍ଷରେ ଗାଡ଼ିଟି ଖରାପ ହୋଇଯାଇଥିବା ଡ୍ରାଇଭର କହିଛନ୍ତି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।
ସୂଚନାଯୋଗ୍ୟ, ଗୁଗଲ ମ୍ୟାପ ଦେଖି ଏମିତି ଭୁଲ ସ୍ଥାନରେ ପହଞ୍ଚିବା ଅଭିଯୋଗ ବରମ୍ବାର ଆସୁଛି । ସର୍ଟକଟ ଚକ୍କରରେ ଲୋକେ ଜୀବନକୁ ବିପଦରେ ପକାଇ ଦେଉଛନ୍ତି । କିଛିଦିନ ତଳେ ଓଡ଼ିଶାରେ ଗୁଗଲ ମ୍ୟାପରେ ସର୍ଟକଟ ରାସ୍ତା ଧରିଥିବା ଏକ କାର କେନାଲରେ ଖସି ପଡ଼ିଥିଲା । ସୌଭାଗ୍ୟକୁ କେନାଲରେ ପାଣି ନଥିବାରୁ ଯାତ୍ରୀମାନେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ସେହିପରି ୪ ଦିନ ପୂର୍ବେ କେରଳ ଯାଉଥିବା ଏକ ପରିବାର ଗୁଗଲ ମ୍ୟାପ୍ ଚକ୍କରରେ ପଡ଼ି ଏକ ଜଙ୍ଗଲ ଭିତରେ ପଶିଯାଇଥିଲେ । ବାହାରିବାକୁ ବାଟ ନପାଇ ସମ୍ପୃକ୍ତ ପରିବାରକୁ ପୂରା ରାତି ଜଙ୍ଗଲରେ କାଟିବାକୁ ପଡ଼ିଥିଲା ।