୫୭ ଘଣ୍ଟା ପରେ ବୋରଓ୍ବେଲରୁ ଉଦ୍ଧାର ପରେ ଜୀବନ ହାରିଲେ ଆର୍ଯ୍ୟନ


ରାଜସ୍ଥାନ: ୧୫୦ ଫୁଟର ବୋରଓ୍ବେଲ ଭିତରେ ୫ ବର୍ଷର ଆର୍ଯ୍ୟନ ୫୭ ଘଣ୍ଟା ଜୀବନ ସହ ସଂଘର୍ଷ । ଏନଡିଆରଏଫ ଟିମ୍ ଦିନ ରାତି ଏକ କରି ଶିଶୁକୁ ଉଦ୍ଧାର କଲେ ସତ ହେଲେ ବଞ୍ଚି ପାରିଲାନି ଆର୍ଯ୍ୟନଙ୍କ ଜୀବନ । ମୃତ୍ୟୁ ସହ ୫୭ ଘଣ୍ଟା ସଂଘର୍ଷ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଆର୍ଯ୍ୟନ । ରାଜସ୍ଥାନ ଦୌସା ସ୍ଥିତ କାଲିଘଟ ଗାଁରେ ବୋରଓ୍ବେଲରେ ଖସିପଡିଥିବା ୫ ବର୍ଷିୟ ଆର୍ଯ୍ୟନଙ୍କ ଶେଷରେ ମୃତ୍ୟୁ ଘଟିଛି ।

ଆର୍ଯ୍ୟନ୍‌ ଖେଳୁ ଖେଳୁ ୧୪୭ ଫୁଟ୍‌ର ପରିତ୍ୟକ୍ତ ବୋରଓ୍ୱେଲରେ ଖସି ପଡିଥିଲେ । ଗତ ସୋମବାରଠୁ ତାଙ୍କୁ ବଞ୍ଚାଇବାକୁ ଅପରେସନ୍‌ ଚାଲିଥିଲା । ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ । ତାଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍‌ ସମେତ ଅନ୍ୟ ରେସ୍କ୍ୟୁ ଟିମ୍‌ ଦିନ ରାତି ଏକ କରିଦେଇଥିଲେ । ଶେଷରେ ତାଙ୍କୁ ବୋରଓ୍ୱେଲ ଭିତରୁ ଉଦ୍ଧାର କରାଯାଇଥିଲା । ସେ ଅଚେତ ଥିବାରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ ଗରମ ଓ ଅସ୍ୱାସ୍ଥକର ପରିବେଶ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।