ରାୟଗଡ଼ା: ନିୟମଗିରି ପାହାଡଲାଖପଦର ଗାଁରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ସାଲୁପୁ କୁତ୍ରୁକା । ସେ ମଞ୍ଚା ଉପରେ ଶୋଇଥିବା ବେଳେ ହାତୀଟି ମଞ୍ଚା ଭାଙ୍ଗି ତାଙ୍କୁ ମାରି ଦେଇଛି ।
ମିଳିଥିବା ସୂଚନା ଅନୁସାରେ, ସେ ଗତକାଲି ରାତିରେ ଗାଁ ନିକଟସ୍ଥ ପାହାଡ଼ ଉପରେ ଅମଳ ହୋଇଥିବା ଫସଲ ଜଗିବା ପାଇଁ ଯାଇଥିଲେ ସାଲୁପୁ । ସେଠାରେ ତିଆରି ହୋଇଥିବା ମଞ୍ଚାରେ ସେ ଶୋଇଥିଲେ । ଏହି ସୟମରେ ଏକ ଦନ୍ତାହାତୀ ଆସି ମଞ୍ଚା ଭାଙ୍ଗି ଦେଇଥିଲା । ସାଲୁପୁ ତଳେ ପଡିଯିବା ପରେ ହାତୀଟି ତାଙ୍କୁ ଶୁଣ୍ଢରେ ଆକ୍ରମଣ କରିଥିଲା । ତାଙ୍କ ପାଟି ଶୁଣି ଆଖପାଖରେ ନିଜ ନିଜ ଫସଲ ଜଗିଥିବା ଲୋକେ ଧାଇଁ ଆସିଥିଲେ । ଫଳରେ ହାତୀଟି ସେଠାରୁ ପଳାଇଥିଲା । ସାଲୁପୁଙ୍କୁ ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାର କରି ଗାଁକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସ୍ଥାନୀୟ ବନ ବିଭାଗ ଅଧିକାରୀ ସେଠାକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି ।