– ଭାଗବତଙ୍କ ଭଳି ବ୍ୟକ୍ତି ରାଜନୈତିକ ଦଳରେ ଅଣ୍ଡାଳିଲେ ବି ମିଳୁ ନାହାନ୍ତି
– ଆଞ୍ଚଳିକ ବୈଷମ୍ୟ ରିପୋର୍ଟ-୦୩ ସାର୍ବଜନୀନ ହେଉ- ପୂର୍ବତନ ଅର୍ଥମନ୍ତ୍ରୀ
– ସମ୍ବଲପୁର ବ୍ରାଣ୍ଡର ପ୍ରଚାର ପାଇଁ ଆହ୍ବାନ
ସମ୍ବଲପୁର: ଆଜି ରାଜନୈତିକ ଦଳରେ ଭକ୍ତ ଏବଂ ଚାମଚା କେବଳ ଦୁଇଟି ବର୍ଗ ରହି ଯାଇଛନ୍ତି। ନେତା ଯଦି ନିଜକୁ ଭଗବାନ ପ୍ରେରିତ ବ୍ୟକ୍ତି ଭାବରେ ଉପସ୍ଥାପନ କରିବେ ତେବେ କର୍ମୀ ନୁହେଁ ଭକ୍ତ ସୃଷ୍ଟି ହେବା ସ୍ବାଭାବିକ। ଭାଗବତଙ୍କ ଭଳି ବ୍ୟକ୍ତି ରାଜନୈତିକ ଦଳରେ ଅଣ୍ଡାଳିଲେ ମଧ୍ୟ ମିଳୁ ନାହାନ୍ତି। କ୍ଷମତାରେ ନଥାଇ ମଧ୍ୟ ସେ ଯେ ଏତେ ଲୋକପ୍ରିୟ ତାର କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ। ବିଶିଷ୍ଟ ସର୍ବୋଦୟ ନେତା, ସାମ୍ବାଦିକ ତଥା ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ୮୮ତମ ଜୟନ୍ତୀ ଅବସରରେ ଭାଗବତଙ୍କ ଆତ୍ମଜୀବନୀ ‘ମନେପଡ଼େ’ର ଲୋକାର୍ପଣ ଅବସରରେ ଏହି ମତ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ। ସେ କହିଛନ୍ତି, ୨୦୦୩ ମସିହାରେ ପ୍ରସ୍ତୁତ ଆଞ୍ଚଳିକ ବୈଷମ୍ୟ ରିପୋର୍ଟ ଆଜି ପର୍ଯ୍ୟନ୍ତ ଲୋକଲୋଚନକୁ ଆସି ପାରିଲା ନାହିଁ। ତେଣୁ ଏହାକୁ ଯଥାଶୀଘ୍ର ସାର୍ବଜନୀନ କରାଯିବା ସହିତ ପୁନଃ ବର୍ତ୍ତମାନ ସ୍ଥିତି ଅନୁଯାୟୀ ଆଉ ଥରେ ରିପୋର୍ଟ ପ୍ରସ୍ତୁତର ଆବଶ୍ୟକତା ରହିଛି। ୨୦୧୧ ମସିହାରେ ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ବୈଷମ୍ୟ ରିପୋର୍ଟ ବିଷୟରେ ଉଲ୍ଲେଖ କରିବା ବେଳେ ରିପୋର୍ଟକୁ ନେଇ ଭାଗବତଙ୍କ ଆଗ୍ରହ ଅଞ୍ଚଳ ପ୍ରତି ତାଙ୍କର ଭଲ ପାଇବାକୁ ଦର୍ଶାଉଥିଲା। ସେ ତାଙ୍କ ଜୀବନକାଳରେ ଆଞ୍ଚଳିକ ବୈଷମ୍ୟ ବିରୋଧରେ ବଡ଼ ସ୍ବର ଥିଲେ। ବର୍ତ୍ତମାନ ରାଜ୍ୟବାସୀଙ୍କ ପାଖରେ ଦୁଇଟି ମୁଖ୍ୟ କାର୍ଯ୍ୟ ରହିଛି ଆଞ୍ଚଳିକ ବୈଷମ୍ୟ ରିପୋର୍ଟ ଉନ୍ମୋଚନ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ସହିତ ମାଟିତଳେ ପ୍ରକୃତି କୋଳେ ଥିବା ଖଣିଜ ସମ୍ପଦକୁ ସୁରକ୍ଷା ଦେବା। ବର୍ତ୍ତମାନ ଗନ୍ଧମାର୍ଦ୍ଦନର ପାଦଦେଶରେ ଆଦାନିର ଖଣି ଖନନ ବିଷୟରେ ଶୁଣିବାକୁ ମିଳୁଛି। ଯାହାକି କୌଣସି ପରିସ୍ଥିତିରେ ମଧ୍ୟ ଅଞ୍ଚଳ ପାଇଁ ଭଲ ହେବ ନାହିଁ। କୋଇଲା ସହିତ ପ୍ରାକୃତିକ ସମ୍ପଦକୁ ଅକ୍ତିଆର ପାଇଁ ବର୍ତ୍ତମାନ ସମଗ୍ର ବିଶ୍ବର ନଜର ଓଡ଼ିଶା ଉପରେ ପଡ଼ିଛି। ୧୯୯୦ ମସିହା ପର ଠାରୁ ଦେଶରେ ଜାତି, ଧର୍ମ ସହିତ ଆର୍ଥିକ ଏବଂ ସାମାଜିକ ବିଷମତା ବଢିଥିବା ନେଇ ଶ୍ରୀ କାନୁନଗୋ ମତ ଦେଇଥିଲେ। ଦେଶ ତଥା ରାଜ୍ୟର ଅର୍ଥନୀତି ନେଇ ଉଦବେଗ ପ୍ରକାଶ ପୂର୍ବକ ଶ୍ରୀ କାନୁନଗୋ କହିଥିଲେ ଯେ ଆମେ ମୋଟ ଘରୋଇ ଉତ୍ପାଦ- ଜିଡିପିକୁ ନେଇ ବାଉଳା ହେଉଥିବା ବେଳେ ୨୦୧୧-୧୨ ବର୍ଷ ତୁଳନାରେ ବର୍ତ୍ତମାନର ମୁଣ୍ଡପିଛା ଋଣ ୯ ଗୁଣ ବଢ଼ିଛି। ହେଇପାରେ ଏହା ଆମ ଦେଶରେ ଶ୍ରୀଲଙ୍କା ପରିସ୍ଥିତି ସୃଷ୍ଟି କରିପାରେ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ବରିଷ୍ଠ ନରେନ୍ଦ୍ର କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ ଛାତ୍ର ଜୀବନରୁ ଭାଗବତଙ୍କ ବହୁମୁଖି କାର୍ଯ୍ୟାବଳୀର ସ୍ମୃତି ଚାରଣ ସହ ସମ୍ବଲପୁରରେ ଜିଲାପାଳ ଥିବାବେଳେ ସ୍ବର୍ଗତ ଭାଗବତ ନନ୍ଦଙ୍କଠାରୁ ପାଇଥିବା ପରାମର୍ଶ ଓ ସହଯୋଗ ସମ୍ପର୍କରେ କହିଥିଲେ। ସେ ସମ୍ବଲପୁରୀ ବ୍ରାଣ୍ଡକୁ ଉଜ୍ଜଳ କରିବା ପାଇଁ ଆହ୍ବାନ ଦେବାସହ ସେଥିପାଇଁ ଭାଗବତ ନନ୍ଦଙ୍କ ଭଳି ସମନ୍ବୟକାରୀ ବ୍ୟକ୍ତିତ୍ଵଙ୍କ ଆବଶ୍ୟକତା ରହିଥିବା କହିଥିଲେ। ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତୃଘ୍ନ ପୂଜାହାରୀ ତାଙ୍କ ବକ୍ତବ୍ୟରେ ଭାଗବତଙ୍କ ଭଳି ବ୍ୟକ୍ତି ବିରଳ ବୋଲି କହିବା ସହ ତାଙ୍କ ବ୍ୟକ୍ତିତ୍ଵର ବିନା କାର୍ଯ୍ୟସୂଚୀରେ ତାଙ୍କୁ କାର୍ଯ୍ୟକ୍ରମକୁ ଟାଣି ଆଣିଛି ବୋଲି କହିଥିଲେ। ସମାଜ କାର୍ଯ୍ୟ ପାଇଁ ଭାଗବତଙ୍କ ଆଦର୍ଶରେ ଉଦବୁଦ୍ଧ ହେବାକୁ ଜଷ୍ଟିସ ପୂଜାହାରୀ ଆହ୍ବାନ ଦେଇଥିଲେ। ଭାଗବତ ପ୍ରସାଦ ନନ୍ଦ ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବର୍ଷିୟାନ ଶିକ୍ଷାବିତ ଅରବିନ୍ଦ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ, କେବଳ ମହାନ ବ୍ୟକ୍ତିମାନଙ୍କ ହିଁ ଜୟନ୍ତୀ ପାଳନ କରାଯାଏ। ଭାଗବତ ଏହିଭଳି ଜଣେ ବ୍ୟକ୍ତି ଯିଏ ସମ୍ବଲପୁରରେ ଅଦ୍ବିତୀୟ ଥିଲେ, ସମାଜ କାର୍ଯ୍ୟ ପାଇଁ ସେ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଥିଲେ। ଏହି ଅବସରରେ ଓଡିଆ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’କୁ ଭାଗବତ ପ୍ରସାଦ ନନ୍ଦ ସାମ୍ବାଦିକତା ସମ୍ମାନ-୨୪ ଏବଂ ସତ୍ୟନାରାୟଣ ମେଣ୍ଡଳିଙ୍କୁ ଭାଗବତ ନନ୍ଦ ସେବା ସମ୍ମାନ-୨୪ ପ୍ରଦାନ କରାଯାଇଥିଲା। ସମଦୃଷ୍ଟି ପକ୍ଷରୁ ସମ୍ପାଦକ ସୁଧୀର ପଟ୍ଟନାୟକ ଏବଂ କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ ସମ୍ମାନ ଗ୍ରହଣ କରିଥିଲେ।ସମ୍ମାନ ଗ୍ରହଣ ଉତ୍ତରରେ ସମଦୃଷ୍ଟି ସମ୍ପାଦକ ସୁଧୀର ପଟନାୟକ ଗଣ ଠାରୁ ଗଣମାଧ୍ୟମ ଦୂରେଇ ଯାଉଥିବା କହିଥିବାବେଳେ ସତ୍ୟନାରାୟଣ ମେଣ୍ଡଳୀ ବୃଦ୍ଧାଶ୍ରମ ପ୍ରତିଷ୍ଠା ବେଳେ ଭାଗବତ ନନ୍ଦଙ୍କ ଆଶୀର୍ବାଦକୁ ମନେ ପକାଇଥିଲେ। କାର୍ଯ୍ୟକ୍ରମକୁ ସ୍ମୃତି କମିଟି ସଂଯୋଜକ ଗୌରୀଦାସ ପ୍ରଧାନ ପରିଚାଳନା କରିଥିବାବେଳେ ଅଜିତ ପାଣିଗ୍ରାହୀ ଏବଂ ସ୍ମୃତି କମିଟି ଭାଗବତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ, ପ୍ରଶାନ୍ତ ପାଟ୍ଟଯୋଷୀ ଓ ଗାର୍ଗୀ ଶତପଥୀ ମାନପତ୍ର ପାଠ ଏବଂ କାର୍ଯ୍ୟକାରୀ ସଦସ୍ୟ ସଞ୍ଜୟ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମାଜର ବିଭିନ୍ନ ବର୍ଗର ନାଗରିକମାନେ ଯୋଗ ଦେଇଥିଲେ।
ଓଡ଼ିଆ ପାକ୍ଷିକ ପତ୍ରିକା ‘ସମଦ୍ରୁଷ୍ଟି’କୁ ଭାଗବତ ନନ୍ଦ ସାମ୍ବାଦିକତା ସମ୍ମାନ, ସତ୍ୟ ମେଣ୍ଡଳୀଙ୍କୁ ସେବା ସମ୍ମାନ
