ବିଜେଡିକୁ ଲାଗିଛି ବଡ଼ ଝଟକା, ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ବିଜେପିରେ ମିଶିଛନ୍ତି

ନୂଆପଡ଼ା ଉପ-ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟକା। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଏକପ୍ରକାର ଚୂଡ଼ାନ୍ତ କରିସାରିଥିଲା। ହେଲେ ଆଜି ଜୟ ବିଜେପିରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ନୂଆପଡ଼ାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ।
ଏମିତି ନୁହେଁ ଯେ, ଜୟ ଏମିତି କିଛି ପଦକ୍ଷେପ ନେଇ ପାରନ୍ତି ବୋଲି ବିଜେଡି ଆଦୌ ଜାଣି ନଥିଲା। ବେଶ୍ କିଛି ଦିନ ହେବ ଏଭଳି ଆଲୋଚନା ହେଉଥିଲା। କୁହାଯାଉଛି, ସେଥିପାଇଁ ଦଳ ଜୟଙ୍କୁ ପ୍ରାର୍ଥୀ କରିବାକୁ ଏକପ୍ରକାର ଚୂଡ଼ାନ୍ତ କରିସାରିଥିଲେ ହେଁ ଘୋଷଣା କରିନଥିଲା। କାରଣ ଜୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଯଦି ସେ ବିଜେପି ପଳାଇବେ ତା’ହେଲେ ଦଳ ପ୍ରତି ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା ହୋଇଥା’ନ୍ତା।